କୁମାର ପୁର୍ଣିମା ଉପଲକ୍ଷେ ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ l
ଜଗତସିଂହପୁର(ନି.ପ୍ର):
ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ହରିହଟ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ଵି କୁମାର ପୁର୍ଣିମା ଉପଲକ୍ଷେ ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତା ରେ ବଳଦେବ ସାହି, ଗାଡିବ୍ରହ୍ମ ସାହି, ଗୁଆମାଳ ସାହି, ବଲ୍ଳଭ ସାହି, ହରିହଟ ସାହି, ସିଦ୍ଧଳ ସାହି ଓ ପଟଣା ସାହି ଆଦି ବିଭିନ୍ନ ସାହି ରୁ ୮ ଟି କଉଡ଼ି ଖେଳ ଟିମ ଏହି କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ | ଗାଡିବ୍ରହ୍ମ କଉଡ଼ି ଖେଳ ଟିମ ଏବଂ ବଳଦେବ କଉଡ଼ି ଖେଳ ଟିମ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ସମାଜସେବୀ ନାରାୟଣ ଦାସ ଉଦଘାଟନୀ ମ୍ୟାଚ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏ ସମସ୍ତ କାର୍ଯ୍ୟକ୍ରମ କୁ ସୁବାଷ ଚନ୍ଦ୍ର ରାଉତ, ତରଙ୍ଗ ସେନ ପରିଡା, ପଙ୍କଜ ପ୍ରୀତି ପରିଡା ଓ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ | ଏଠାରେ ଉଲେଖଯୋଗ୍ୟ ଯେ ପୂର୍ବ କାଳରେ ମନୁଷ୍ୟମାନଙ୍କ ର ଆର୍ଥିକ କ୍ଷେତ୍ରରେ କଉଡ଼ି ହିଁ ପ୍ରଚଳନ ହେଉଥିଲା | ତାହା ପରବର୍ତୀ ସାମାଜିକ ଚଳନି କ୍ଷେତ୍ରରେ ମନୁଷ୍ୟର ଜନ୍ମ, ବିବାହ ଏବଂ ମୃତ୍ୟୁ କ୍ଷେତ୍ରରେ କଉଡ଼ି ପ୍ରଚଳନ ହେଉଥିବାରୁ ଆର୍ଥିକ ସଙ୍କଟ ଦୂର ନିମନ୍ତେ ଅନେକ ବର୍ଷ ଧରି ଇନ୍ଦ୍ର ପୁର୍ଣିମା ଠାରୁ କୁମାର ପୁର୍ଣିମା ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସିଦ୍ଧଳ ଗ୍ରାମରେ ପ୍ରତ୍ୟେକ ଘରେ ଘରେ ବାପ, ମା, ପୁଅ, ଝିଅ ମାନଙ୍କ ମଧ୍ୟରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥାଏ | ଏହା କୁମାର ପୁର୍ଣିମା ଦିନ ଉଦଯାପିତ ହୋଇଥାଏ l ଏହି ଦିନ ପ୍ରତ୍ୟେକ ସାହି ସାହି ମଧ୍ୟରେ କଉଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜୟୀ ଦଳକୁ ଚାମ୍ପିୟାନ ଟ୍ରଫି ଏବଂ ରନର୍ସ ଅଫ ଟିମ କୁ ସିଲ ପ୍ରଦାନ କରାଯାଇଥାଏ l ଏହି ପାରମ୍ପରିକ କ୍ରୀଡା ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ଶତାଧିକ ଜନ ସାଧାରଣ ଯୋଗଦେଇଥାନ୍ତି |
