ବାତ୍ୟା ଆଶଙ୍କାରେ ମାଲକାନଗିରିକୁ ରେଡ୍ ଆଲର୍ଟ
ମାଥିଲି ଅଞ୍ଚଳର ସମ୍ଭାବ୍ୟ ପ୍ରଭାବ ନେଇ ଯୁବନେତା ଓ ଆଦିବାସୀ ମହାସଂଘ ନେତାଙ୍କ ସହ ଆଲୋଚନା କଲେ ମନ୍ତ୍ରୀ
ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ,(ଭଞ୍ଜଦୂତ ଖବର) ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ, ସମ୍ଭାବ୍ୟ ପ୍ରଭାବ ଓ ପରିସ୍ଥିତି ସମ୍ପର୍କରେ ଆଲୋଚନା ଜୋରଦାର ହୋଇଛି। ଜିଲ୍ଲା ଦାୟିତ୍ୱରେ ଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଥିଲି ବ୍ଲକର କେଉଁ କେଉଁ ଅଞ୍ଚଳ ବାତ୍ୟା ଓ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି, ସେ ସମ୍ପର୍କରେ ସ୍ଥାନୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ମାଥିଲି ଅଞ୍ଚଳର ଯୁବନେତା ଜଳନ୍ଧର ନାୟକଙ୍କୁ ମନ୍ତ୍ରୀ ବିଭିନ୍ନ ଅଞ୍ଚଳର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଆଦିବାସୀ ମହାସଂଘର ନେତା ବନ୍ଧୁ ମୁଦୁଲି, ଆଲାଙ୍କି ରାଜୁଙ୍କ ସମେତ ଅନ୍ୟାନ୍ୟ କର୍ମୀଙ୍କ ସହ ମଧ୍ୟ ସାକ୍ଷାତ ଓ ଆଲୋଚନା କରିଥିଲେ।
ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଯେପରି ଜନଜୀବନ ପ୍ରଭାବିତ ନହୁଏ, ସେଥିପାଇଁ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଜାଣିବା ଏବଂ ଲୋକଙ୍କ ସମସ୍ୟା ବୁଝିବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
