ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା, ଅକ୍ଟୋବର ୧୦: ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (DMHP), କଳାହାଣ୍ଡି ତରଫରୁ ୧୦ ଅକ୍ଟୋବର ୨୦୨୬ ତାରିଖରେ ଭବାନୀପାଟଣାସ୍ଥିତ ଏଏନ୍ଏମ୍ ତାଲିମ କେନ୍ଦ୍ର ଏବଂ ସରକାରୀ ନର୍ସିଂ ମହାବିଦ୍ୟାଳୟ, କାମଠଣାଠାରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ହରେକୃଷ୍ଣ ଶତପଥୀ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (DPHO) ଡାକ୍ତର ରାକେଶ କୁମାର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର କୁମାର ତାଣ୍ଡି, ମନୋରୋଗ ବିଶେଷଜ୍ଞ ଡାକ୍ତର ଚେତୁରାମ ମେହେର ଏବଂ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଲକେଶ ସାହୁ, ମନୋସାମାଜିକ କର୍ମୀ ଅନାୟତ ମହମ୍ମଦ, କମ୍ୟୁନିଟି ନର୍ସ ବର୍ଷା ପ୍ରଧାନ, ମନୋରୋଗ ନର୍ସ ରୋଜାଲିନ ମଲ୍ଲିକ ଏବଂ କେସ୍ ରେଜିଷ୍ଟ୍ରି ସହାଇକା ରଜନୀ ଚଲାନ ପ୍ରମୁଖ ଯୋଗଦେଇଥିଲେ।
ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିଡିଏମ୍ଓ ଏବଂ ଡିପିଏଚ୍ଓ କାର୍ଯ୍ୟାଳୟରୁ ଏକ ସଚେତନତା ରାଲି ବାହାରି ପୌରପାଳିକା ଛକ ଦେଇ ଜେଲ୍ ଛକରେ ପହଞ୍ଚିଥିଲା। ସେଠାରୁ ରାଲିଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH), ଭବାନୀପାଟଣା ଦେଇ ଏଏନ୍ଏମ୍ ତାଲିମ କେନ୍ଦ୍ରରେ ପହଞ୍ଚି ଶେଷ ହୋଇଥିଲା।ରାଲି ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଗ୍ରହଣ କରିବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଭବାନୀପାଟଣାସ୍ଥିତ ଏଏନ୍ଏମ୍ ତାଲିମ କେନ୍ଦ୍ରଠାରେ ଆୟୋଜିତ ସଚେତନତା ସଭାରେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ଲକେଶ ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ ଏହାର ଯତ୍ନ ନେବା ସମ୍ପର୍କରେ ସଚେତନ କରିଥିଲେ।ମାନସିକ ରୋଗୀଙ୍କୁ ଅବହେଳା ନକରି ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ସହ ସେମାନଙ୍କ ପ୍ରତି ସମାଜରେ ରହିଥିବା ସାମାଜିକ କଳଙ୍କ ଓ ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ସରକାରୀ ନର୍ସିଂ ମହାବିଦ୍ୟାଳୟ, କାମଠଣାଠାରେ ମଧ୍ୟ ଆୟୋଜିତ ହୋଇଥିଲା। ଏଠାରେ ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ପ୍ରାରମ୍ଭିକ ଲକ୍ଷଣ, ରୋଗୀଙ୍କ ଆଚରଣରେ ଦେଖାଯାଉଥିବା ପରିବର୍ତ୍ତନ, ମାନସିକ ରୋଗର ଚିକିତ୍ସା ଏବଂ ରୋଗୀଙ୍କ ଯତ୍ନ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଆଲୋଚନାଚକ୍ର ମାଧ୍ୟମରେ ନର୍ସିଂ ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବା ସହ ଭବିଷ୍ୟତରେ ରୋଗୀମାନଙ୍କୁ ଉପଯୁକ୍ତ ସେବା, ସହଯୋଗ ଓ ସହାନୁଭୂତି ଯୋଗାଇଦେବା ପାଇଁ ଉତ୍ସାହିତ କରାଯାଇଥିଲା।ମାନସିକ ରୋଗୀଙ୍କ ପ୍ରତି ସମାଜରେ ସକାରାତ୍ମକ ମନୋଭାବ ଗଠନ କରିବା ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ଜନସଚେତନତା ବୃଦ୍ଧି କରିବା ଦିଗରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଶେଷ ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା।
