*ଜନ୍ତର ମନ୍ତର ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଦମନର ପ୍ରତିବାଦ*
*ବାରିପଦା, ତା ୧୧/୧୦ –* ଗଣତନ୍ତ୍ର ହତ୍ୟାକାରୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ଦାବିରେ ଦିଲ୍ଲୀ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଆସିଥିବା ଯୁବ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସର ଅମାନବୀୟ ଦମନଲୀଳା ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ସାଥୀ ରଘୁନାଥ ପଣ୍ଡାଙ୍କ ସଭାପତିତ୍ୱରେ ବାରିପଦା ବସ୍ ଷ୍ଟାଣ୍ଡ ପରିସରରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଶନିବାର ଦିନ ସରକାରଙ୍କ ଦ୍ୱାରା ନିର୍ଧାରିତ ପ୍ରଦର୍ଶନ ସ୍ଥଳ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବା ପାଇଁ ଯୁବ ଛାତ୍ର ସଂଗଠନ ପକ୍ଷରୁ ଗଣମାଧ୍ୟମ ଜରିଆରେ ସମସ୍ତ ପ୍ରଚାର ପ୍ରସାର କରାଯାଇ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ଅବଗତ କରାଯାଇଥିଲା। ମାତ୍ର ଗଣତନ୍ତ୍ର ଧ୍ୱଂସକାରୀ ସମସ୍ତ ସରକାରୀ କଳ ଓ ବଳ ଏହାକୁ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଫୋର୍ସକୁ ଦିଲ୍ଲୀରେ ମୁତୟନ କରି ଆସୁଥିବା ଯୁବ ଛାତ୍ର, ସାଧାରଣ ଜନତାଙ୍କୁ ଉଡାଜାହାଜ, ଟ୍ରେନ, ବସ୍ ଭିତରୁ ଏବଂ ଘରୁ ବାହାରୁଥିବା ଲୋକଙ୍କୁ ଟାଣି ଗିରଫ କରିବା ଘଟଣା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରକୁ ଦୋହଲାଇ ଦେଲାଣି।
ଗୋଟିଏ ଦିନରେ ୧୭୦୦ ରୁ ଊର୍ଦ୍ଧ୍ୱ ଅଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ଗିରଫଦାରୀ ୧୯୭୫ ଘୋଷିତ ଜରୁରୀକାଳୀନ ସ୍ଥିତି ଠାରୁ ଅଧିକ ଗମ୍ଭୀର ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି। ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ଦିଲ୍ଲୀ, ହରିୟାଣା, ୟୁପିରେ ସିଭିଲ୍ ୱାର୍ ଭଳି ପରିସ୍ଥିତି ସୃଷ୍ଟି କରାଯାଇଛି। ତଥାପି ଆନ୍ଦୋଳନକାରୀମାନେ ଭୟଭୀତ ନହୋଇ ଆଗକୁ ମାଡି ଚାଲିଛନ୍ତି।
ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏ ଆନ୍ଦୋଳନ ଆଗକୁ ସର୍ବବୃହତ୍ ଆନ୍ଦୋଳନର ରୂପ ନେବାକୁ ଯାଉଥିବା ବେଳେ ନୂଆ ଇତିହାସ ଲେଖିବାକୁ ଆଉ ବେଶୀ ସମୟ ନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଏଭଳି ମାତ୍ରାଧିକ ଦମନଲୀଳାକୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦୃଢ ନିନ୍ଦା ସହ ପ୍ରତିବାଦ କରାଯାଇଛି।
ଏହି ପ୍ରତିବାଦ ସଭାରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ପରମେଶ୍ୱର ମହାନ୍ତ, ସିପିଏମ୍ ର ରବି ଗୋସ୍ୱାମୀ, କଂଗ୍ରେସର ଶାନ୍ତନୁ ପାଲ୍, ସୁନୀତା ନାୟକ, ଶିବାନନ୍ଦ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁବାସ ଚନ୍ଦ୍ର ତ୍ରିପାଠୀ, ଦାଶରଥି ରାଉତ, ବସନ୍ତ କୁମାର ନାଏକ, ଶ୍ରୀକାନ୍ତ ମହାନ୍ତ, ବିଜୟ ମହାନ୍ତ, ତରୁଣ କୁମାର ମହାନ୍ତ, ମୁକେଶ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
