*ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ‘ନିଶା ମୁକ୍ତ ଯୁବ ଭାରତ’ ଅଭିଯାନ: ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଶାଳ ସଚେତନତା ଶୋଭାଯାତ୍ରା*
ନୂଆପଡ଼ା (ମିଖାଏଲ ନନ୍ଦ),
ତା-୦୧/୧୦:
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ପ୍ରତିଷ୍ଠିତ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ‘ନିଶା ମୁକ୍ତ ଯୁବ ଭାରତ’ ଅଭିଯାନ ଅନ୍ତର୍ଗତ ଏକ ବିଶାଳ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ବିଭାଗ ତଥା ଜାତୀୟ ସେବା ଯୋଜନା (NSS) ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା।ଅତିଥି ଭାବରେ ଖଡ଼ିଆଳର ସୁନାମଧନ୍ୟ କ୍ରୀଡ଼ାବିତ ଶ୍ରୀ ଛବିଲାଲ ସାଗର ଯୁବ ଗୋଷ୍ଠୀ ପାଇଁ ନିଶା ମୁକ୍ତ ବାତାବରଣ ସୃଷ୍ଟି କରି ଅଧ୍ୟୟନ ପାରେ ଆତ୍ମରୋଜଗାର ସୃଷ୍ଟି କୁ ଗୁରୁତ୍ୱ ଦେବା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବରେ ଡ଼ ସରୋଜ କୁମାର ପଣ୍ଡା ସ୍ୱାସ୍ଥ୍ୟ ହିଁ ସମ୍ପଦ ,ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିଶା ମୁକ୍ତି ପଦକ୍ଷେପ ବିଶେଷତଃ ଯୁବ ସମାଜ ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, NCC ଅଧିକାରୀ କ୍ୟାପଟେନ ଡ଼ ବିଷ୍ଣୁ ଦେବ ସିଂ ମଲ୍ଲିକ,ଜାତୀୟ ସେବା ଯୋଜନା (ଯୁଗ୍ମ)ବିଭାଗ ଅଧିକାରୀ ଅଧ୍ୟାପିକା ପ୍ରଣତି ପଣ୍ଡା ,ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ସୁନୀଲ କୁମାର ପାଢୀ, ପ୍ରମୁଖ ଉପସ୍ଥିତ ଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ନିଶାମୁକ୍ତ ସୁସ୍ଥ ସମାଜ ପାଇଁ ଶପଥ ପାଠ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନ୍.ସି.ସି. କ୍ୟାଡେଟ୍ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ ହୋଇଥିଲେ। ହାତରେ ସଚେତନତାଧର୍ମୀ ବ୍ୟାନର ଓ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ବାହାରି ନିକଟସ୍ଥ ବିଭିନ୍ନ ଗ୍ରାମ ଓ ସହରାଞ୍ଚଳ ପରିକ୍ରମା କରିଥିଲେ। ପରିକ୍ରମା ସମୟରେ ଛାତ୍ରଛାତ୍ରୀମାନେ ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ପରିବେଶକୁ ପ୍ରକମ୍ପିତ କରିଥିଲେ।
ଏହି ଶୋଭାଯାତ୍ରା ମାଧ୍ୟମରେ ନିଶାର ଭୟାବହ କୁପ୍ରଭାବ, ସ୍ୱାସ୍ଥ୍ୟହାନି ଏବଂ ସାମାଜିକ ଅବକ୍ଷୟ ସମ୍ପର୍କରେ ସାଧାରଣ ଜନତାଙ୍କୁ ବୁଝାଇବା ସହ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯାଇଥିଲା। ଗ୍ରାମବାସୀଙ୍କୁ ନିଶାଦ୍ରବ୍ୟ ପରିହାର କରି ସୁସ୍ଥ ଓ ବିକଶିତ ଭାରତ ଗଠନରେ ସହଯୋଗ କରିବା ପାଇଁ ସଚେତନ କରାଯାଇଥିଲା। କଲେଜ ଛାତ୍ରଛାତ୍ରୀ ତଥା କର୍ତ୍ତୃପକ୍ଷଙ୍କ ଏହି ଜନହିତକର ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।
