ସିନାପାଲି ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନାକୁ ନେଇ ଅନିୟମିତତା ଅଭିଯୋଗ
ପାତରଅନ୍ତର ଓ ପ୍ରିୟାପ୍ରୀତି ନୀତି ଅଭିଯୋଗ, ଯୋଜନା ପୁନଃପ୍ରସ୍ତୁତି ଦାବି
ସିନାପାଲି: ୨/୧୦(ଧର୍ମେନ୍ଦ୍ର କୁମାର ଗହିର)ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ପଞ୍ଚାୟତ ଉନ୍ନୟନ ଯୋଜନା ୨୦୨୬-୨୭ ପ୍ରସ୍ତୁତି ଓ ଅନୁମୋଦନ ପ୍ରକ୍ରିୟାକୁ ନେଇ ବ୍ୟାପକ ଅନିୟମିତତା, ପାତରଅନ୍ତର ଓ ପ୍ରିୟାପ୍ରୀତି ନୀତି ଅବଲମ୍ବନ କରାଯାଇଥିବା ଅଭିଯୋଗ ଉଠିଛି। ଏନେଇ ସିନାପାଲି ବିଡିଓଙ୍କ ଜରିଆରେ ନୂଆପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପଞ୍ଚାୟତ ଉନ୍ନୟନ ଯୋଜନା ପ୍ରସ୍ତୁତି ପାଇଁ ସମସ୍ତ ସମିତି ସଭ୍ୟ-ସଭ୍ୟାଙ୍କଠାରୁ ନିଜ ନିଜ ପଞ୍ଚାୟତର ଆବଶ୍ୟକୀୟ ପ୍ରକଳ୍ପ ତାଲିକା ଆହ୍ୱାନ କରାଯାଇଥିଲା। ଏହାନୁଯାୟୀ ସମିତି ସଭ୍ୟ-ସଭ୍ୟାମାନେ ନିଜ ଅଞ୍ଚଳର ଅତ୍ୟାବଶ୍ୟକ ଓ ଜନସାଧାରଣଙ୍କ ଉପଯୋଗୀ ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ବିଡିଓଙ୍କ ନିକଟରେ ଦାଖଲ କରିଥିଲେ। ତେବେ ନିର୍ବାଚିତ ଜନପ୍ରତିନିଧିଙ୍କ ପକ୍ଷରୁ ଦିଆଯାଇଥିବା କେତେକ ପ୍ରକଳ୍ପ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଅନ୍ୟ କିଛି ପ୍ରକଳ୍ପକୁ ଅନୁମୋଦନ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଠିକାଦାର ଓ ମଧ୍ୟସ୍ଥିଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇଥିବା ମଧ୍ୟ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏପରିକି ବିଡିଓଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରୁଦ୍ଧଦ୍ୱାର ବୈଠକ କରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ପ୍ରଶାସନିକ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଅଭିଯୋଗକାରୀମାନେ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଜନସଂଖ୍ୟା ଅନୁପାତରେ ଅଧିକ ଜନସଂଖ୍ୟା ଥିବା କେତେକ ଗ୍ରାମ ପଞ୍ଚାୟତକୁ ତୁଳନାମୂଳକ ଭାବେ କମ୍ ଅର୍ଥ ଆବଣ୍ଟନ କରାଯାଇଥିବା ବେଳେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ସମ୍ପର୍କିତ କମ୍ ଜନସଂଖ୍ୟା ବିଶିଷ୍ଟ ପଞ୍ଚାୟତଗୁଡ଼ିକୁ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ଏଥିରେ ଅର୍ଥ ତୋଷରପାତର ଉଦ୍ଦେଶ୍ୟ ଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏହାର ସ୍ୱତନ୍ତ୍ର ଯାଞ୍ଚ ହୋଇନାହିଁ। ସମିତି ସଂଘ ସଭାପତି ମନୀଷ କୁମାର ପଟେଲ କହିଛନ୍ତି ଯେ, ବିଗତ ବର୍ଷଗୁଡ଼ିକରେ ମଧ୍ୟ ଏଭଳି ତ୍ରୁଟିବିଚ୍ୟୁତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏପରି ତ୍ରୁଟିର ପୁନରାବୃତ୍ତି ନହେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଚଳିତ ବର୍ଷ ତାହାର ଅନୁପାଳନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। କେତେକ ନିର୍ଦ୍ଦିଷ୍ଟ ଗ୍ରାମ ପଞ୍ଚାୟତକୁ କ୍ରମାଗତ ଭାବେ ଉପେକ୍ଷା କରାଯାଉଥିବା ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ଜନପ୍ରତିନିଧିଙ୍କ ସହ ସମନ୍ୱୟର ଅଭାବ ସହ ସରକାରୀ ଯୋଜନା ପ୍ରସ୍ତୁତି ପ୍ରକ୍ରିୟାର ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି।
ତେଣୁ ପଞ୍ଚାୟତ ଉନ୍ନୟନ ଯୋଜନା ୨୦୨୬-୨୭ର ବର୍ତ୍ତମାନର ତାଲିକାକୁ ପ୍ରତ୍ୟାହାର କରି ସମସ୍ତ ସମିତି ସଭ୍ୟ-ସଭ୍ୟାଙ୍କ ପ୍ରତ୍ୟକ୍ଷ ସହମତି ଓ ସହଭାଗିତାରେ ଯୋଜନାକୁ ପୁନଃପ୍ରସ୍ତୁତ ଓ ଅନୁମୋଦନ କରିବାକୁ ସେ ଦାବି କରିଛନ୍ତି। ଏହି ଦାବି ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆନଗଲେ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ସେ ସୂଚନା ଦେଇଛନ୍ତି।
ଏବେ ଏହି ଅଭିଯୋଗ ଉପରେ ନୂଆପଡ଼ା ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ଯୋଜନା ପ୍ରସ୍ତୁତି ପ୍ରକ୍ରିୟାରେ ନିୟମ ଅନୁସରଣ ହୋଇଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
