ଧରାଧରପୁର ପ୍ରାଥମିକ କୃଷି ସମବାୟ ସମିତିର ଶୁଭ ଉଦଘାଟନ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମ ପଞ୍ଚାୟତରେ ନବଗଠିତ ଧରାଧରପୁର ପ୍ରାଥମିକ କୃଷି ସମବାୟ ସମିତିର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡା. ବିଭୁପ୍ରସାଦ ତରାଇ ଯୋଗଦେଇ ଫିତାକାଟି ସମିତିର ଶୁଭାରମ୍ଭ କରିଥିଲେ । ଏହି ନୁଆ ସମବାୟ ସମିତି ଖୋଲିବା ପଛରେ ଉଦ୍ୟମ କରିଥିବା ଯୁବ ସାମାଜିକ କର୍ମୀ ସରିତ ମହାପାତ୍ର ଓ ତାଙ୍କ ଯୁବ ବାହିନୀ ଙ୍କ ଭୁୟସୀ ପ୍ରଶଂସା କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଜେପି ନେତ୍ରୀ ସ୍ମିତା ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଆଇନୀଜୀବୀ ଗଗନ ଚନ୍ଦ୍ର ଦାଶ, ବିବେକାନନ୍ଦ ହୋତା, କୃଷକ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ଅଶୋକ କୁମାର ରାଉତରାୟ କରିଥିବା ବେଳେ ପ୍ରଶାନ୍ତ କୁମାର ବିଶ୍ୱାଳ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଧରାଧରପୁର ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ କୃଷି ସମ୍ବନ୍ଧୀୟ ସେବା, ସୁବିଧା ଓ ସମବାୟ ବ୍ୟବସ୍ଥା ସହିତ ଯୋଡ଼ିବା ସହିତ ପଞ୍ଚାୟତରେ ବିଭିନ୍ନ ପ୍ରକାର ରୋଜଗାର ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରି ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ଏହି ସମିତିର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ରହିଛି ବୋଲି ସାମାଜିକ କର୍ମୀ ସରିତ ମହାପାତ୍ର ପ୍ରକାଶ କରିଥିଲେ । ଏହା ମାଧ୍ୟମରେ ଧରାଧରପୁର ପଞ୍ଚାୟତର କୃଷି ଓ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଆୟୋଜକମାନଙ୍କ ପକ୍ଷରୁ ପ୍ରକାଶ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ସମସ୍ତ କର୍ମକର୍ତ୍ତା, ସଦସ୍ୟ, ଚାଷୀ, ଯୁବକ ଓ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
