*ଖଡ଼ିଆଳ ସ୍ଥିତ ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ: ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଅଭିନବ ଶିକ୍ଷାଦାନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ।*
ନୂଆପଡ଼ା (ମିଖାଏଲ ନନ୍ଦ),
ତା: ୦୧/୧୦:
ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଏକ ସୁମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।
ଏହି ଉତ୍ସବରେ ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପିଲାଙ୍କ ମଧ୍ୟରେ ପାଠପଢ଼ା ପ୍ରତି ରୁଚି ଓ ଆଗ୍ରହ ସୃଷ୍ଟି କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା ଜରୁରୀ। କେବଳ ପାଠ ନୁହେଁ, ନିୟମିତ ପରୀକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ସର୍ବଦା ଉତ୍ସାହିତ କରାଗଲେ ସେମାନଙ୍କର ପ୍ରକୃତ ପ୍ରତିଭା ବିକଶିତ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ସମାବେଶରେ ବିଜୁ ପଟ୍ଟନାୟକ କଲେଜର ଅଧ୍ୟକ୍ଷ ଗୟାଧର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ପ୍ରଶାନ୍ତ କୁମାର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଖଡ଼ିଆଳ ରୋଡ଼ ଏନ୍ଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ଏବଂ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଶିକ୍ଷାର ମାନ ବୃଦ୍ଧି ନେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ଖଡ଼ିଆଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ଏଥିସହ ବୋଡ଼େନ ଓଏଭି ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ, କୋମନା ଓଏଭି ଅଧ୍ୟକ୍ଷ ସୂରଜ କୁମାର ମହାନ୍ତି, ସିନାପାଲି ଓଏଭି ଅଧ୍ୟକ୍ଷ ଶିବୁ ପ୍ରସାଦ ବିଶ୍ୱାଳ ଏବଂ ନୂଆପଡ଼ା ଓଏଭି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
