*ପେଟ ପାଇଁ ଯାଇଥିଲେ, ମୃତଦେହ ହୋଇ ଫେରିଲେ: ଦାଦନ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୪/୦୯
ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବିଲେଞ୍ଜୋର ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକ ହେଲେ ବିଲେଞ୍ଜୋର ଗ୍ରାମର ଟନେସ ନିଆଲ। ଟନେସଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ କୋମନା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଘଟଣାର ବିବରଣୀ:
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଧିକ ଟଙ୍କା ରୋଜଗାରର ପ୍ରଲୋଭନ ଦେଖାଇ ବଲାଙ୍ଗୀର ଜିଲ୍ଲା ସୁନେଶ ଗ୍ରାମର ଦାଦନ ଦଲାଲ ଲାଲମାନ ଚୌହାନ ଏବଂ ଡୁମାମତା ଗ୍ରାମର ଘନଶ୍ୟାମ ବାଗ ଗତ ୧୯ ତାରିଖରେ ଟନେସଙ୍କୁ ଗାଁରୁ ବସଷ୍ଟାଣ୍ଡ ଆଣି ସେଠାରୁ ଆନ୍ଧ୍ରପ୍ରଦେଶ ନେଇଯାଇଥିଲେ। ଗତ ୨୨ ସେପ୍ଟେମ୍ବର ଦିନ ଦଲାଲ ଲାଲମାନ ଫୋନ ଯୋଗେ ଟନେସଙ୍କୁ ଗାଁକୁ ଫେରାଇବା ପାଇଁ ଗାଡ଼ିରେ ବସାଇ ଦେଇଥିବା ସୂଚନା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶର ଟୋନି ରେଳବାଇ ଥାନାରେ ଟନେସଙ୍କ ମୃତଦେହ ଥିବା ନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା।
ହତ୍ୟା ସନ୍ଦେହ ଓ ବ୍ଲାକମେଲିଂ ଅଭିଯୋଗ:
ଅନ୍ୟପକ୍ଷରେ, ପୂର୍ବରୁ ଜଣେ ବ୍ୟକ୍ତି ନିଜକୁ ଦାଦନ ସର୍ଦ୍ଦାର ପରିଚୟ ଦେଇ ପରିବାର ଲୋକଙ୍କୁ ଫୋନ କରି ୮ ହଜାର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଟଙ୍କା ପଠାଇଲେ ହିଁ ଟନେସଙ୍କୁ ଗାଁକୁ ଯିବାକୁ ଦିଆଯିବ, ନଚେତ ବିଦ୍ୟୁତ ଆଘାତ ଦେଇ ମାରିଦିଆଯିବ ବୋଲି ସେ ଧମକ ଦେଇଥିଲେ। ଏହାପରେ ପରିବାର ଲୋକେ ଟନେସଙ୍କ ବେକରେ କ୍ଷତ ଚିହ୍ନ ଥିବା ଏକ ଫଟୋ ଦେଖିବାକୁ ପାଇଥିଲେ। ଏହାକୁ ଆଧାର କରି ଦାଦନ ସର୍ଦ୍ଦାର, ତାଙ୍କ ପୁଅ ଓ ଦାଦନ ଦଲାଲଙ୍କ ମଧ୍ୟରେ ଯୋଜନାବଦ୍ଧ ସଂଘବଦ୍ଧ ଷଡ଼ଯନ୍ତ୍ର କରି ଟନେସଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି।
ତଦନ୍ତ ଓ କ୍ଷତିପୂରଣ ଦାବି:
ଇତିମଧ୍ୟରେ ଜିଆରପି (GRP) ପକ୍ଷରୁ ମୃତଦେହର ବ୍ୟବଚ୍ଛେଦ କରାଯାଇଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଓ ଶରୀରରେ ଥିବା କ୍ଷତ ଚିହ୍ନର ସ୍ପଷ୍ଟତା ପାଇଁ ଫୋରେନସିକ ପରୀକ୍ଷା କରାଯିବାକୁ ପରିବାର ପକ୍ଷରୁ ଦାବି ହୋଇଛି। ମୃତଦେହକୁ ଗାଁକୁ ଆଣିବା ପାଇଁ ଗତ ବିଳମ୍ବିତ ରାତିରେ ପରିବାର ଲୋକେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଜିଲ୍ଲାପାଳଙ୍କ ତ୍ୱରିତ ନିର୍ଦ୍ଦେଶ କ୍ରମେ ଶ୍ରମ ଅଧିକାରୀଙ୍କ ସହାୟତାରେ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଆନ୍ଧ୍ରପ୍ରଦେଶର ଟୋନି ରେଳବାଇ ଥାନାକୁ ଯାଇଛନ୍ତି।
ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ, ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରମାଣିତ ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
