*ବାଦ୍ୟ ତାଳରେ ଝୁମିଲେ ବିଧାୟକ: ଖଡ଼ିଆଳ ଫୁଟବଲ୍ ମହାକୁମ୍ଭରେ ଖେଳାଳି ଉତ୍ସାହିତ, ହେବ ଫୁଟବଲ୍ ଏକାଡେମୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଆନନ୍ଦ ଉଲ୍ଲାସର ସହ ଚତୁର୍ଥ ଫୁଟବଲ୍ ମହାକୁମ୍ଭ ଶୁଭ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଉତ୍ସବ ପରିସରରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଏକ ଅଭୂତପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଏହି ସମୟରେ ବିଧାୟକ ନିଜକୁ ସମ୍ଭାଳି ନପାରି ଆନନ୍ଦ ବିଭୋର ହୋଇ ବାଦ୍ୟର ତାଳକୁ ତାଳ ମିଳାଇ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କର ଏହି ନିଆରା ଅନ୍ଦାଜ ଉପସ୍ଥିତ ଦର୍ଶକ ଓ ଖେଳାଳିମାନଙ୍କ ମନରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଥିଲା।
ଏହି ଅବସରରେ ବିଧାୟକ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳର କ୍ରୀଡ଼ା ପ୍ରତିଭାମାନଙ୍କ ବିକାଶ ପାଇଁ ଖଡ଼ିଆଳରେ ଏକ ଅତ୍ୟାଧୁନିକ ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା କରାଯିବା ନେଇ ପରିକଳ୍ପନା ପ୍ରକାଶ କରିଥିଲେ। ଏହି ଏକାଡେମୀ ଗଠନ ହେଲେ ସ୍ଥାନୀୟ ଯୁବପିଢ଼ି ଉପଯୁକ୍ତ ପ୍ରଶିକ୍ଷଣ ପାଇ ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଟୁର୍ଣ୍ଣାମେଣ୍ଟକୁ ନେଇ ସମଗ୍ର ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି।
