ରେଢ଼ାଖୋଲ ରେ ନିଆରା ପରମ୍ପରା ନୂଆଁମୁଣ୍ଡା ପୂଜା।
# ଇଷ୍ଟଦେବ ପ୍ରଭୁ ପଞ୍ଚଖଣ୍ଡା ଏବଂ ଆରାଧ୍ୟ ଦେବୀ ମା ଅନ୍ଧାର ବାଉତି ଙ୍କ ପାଖରେ ଲାଗିଲା ନବାନ୍ନ।
ରେଢ଼ାଖୋଲ ୨୦.୯(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଗଡ଼ଜାତ ଅଞ୍ଚଳର ଇଷ୍ଟ ଦେବତା ପ୍ରଭୁ ପଞ୍ଚଖଣ୍ଡା ଓ ଆରାଧ୍ୟ ଦେବୀ ମାଁ ଅନ୍ଧାର ବାଉତି ଙ୍କ ନୂଆଁମୁଣ୍ଡା ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶା ଦ୍ୱାର ଦେଶ ରେଢ଼ାଖୋଲ ସହରରେ ଗଡ଼ଜାତ ରାଜ ପରମ୍ପରା ରାଜୁଡ଼ି ସମୟରୁ ପ୍ରଭୁ ପଞ୍ଚଖଣ୍ଡା ଓ ମାଁ ଅନ୍ଧାର ବାଉତୀଙ୍କ ନୂଆଁମୁଣ୍ଡା ପୂଜା ଉତ୍ସବ ପାଳନରେ ଏକ ନିଆରା ପରମ୍ପରା ରହିଆସିଛି। ରାଜ ବଂଶୀୟ ପରମ୍ପରା ଅନୁଯାୟୀ ପାର୍ବଣ ମାସ ଆରମ୍ଭ ହେବା ପରେ ଭାଦ୍ରବ ମାସରେ ଅଗ୍ରପୂଜ୍ୟ ବିଘ୍ନହର୍ତ୍ତା ଗଣେଶ ଙ୍କ ପୂଜା ପରେ ଶୁକ୍ଳପକ୍ଷ ପ୍ରଥମ ରବିବାର ଦିନ ରେଢ଼ାଖୋଲ ର ଇଷ୍ଟଦେବ ଓ ଆରାଧ୍ୟ ଦେବୀ ଙ୍କ ମହାନ ଗଣପର୍ବ ନୂଆଁମୁଣ୍ଡା ପୂଜା ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି। ରେଢ଼ାଖୋଲ ର ଇଷ୍ଟ ଦେବତା ପ୍ରଭୁ ପଞ୍ଚଖଣ୍ଡା ଓ ଆରାଧ୍ୟ ଦେବୀ ମାଁ ଅନ୍ଧାର ବାଉତୀ ଙ୍କ ପାଖରେ ନବାନ୍ନ ଲାଗିଲା ପରେ ସ୍ଥାନୀୟ ଅଞ୍ଚଳରେ ଓ ଗଡ଼ଜାତ ଅଞ୍ଚଳ ର ବିଭିନ୍ନ ଗ୍ରାମ ମାନଙ୍କରେ ଗାଁ ପିଢ଼ ପୂଜା ପରେ ନୂଆଁ ଖାଇବା ପରମ୍ପରା ଆବାହନ କାଳରୁ ଚାଲିଆସିଥିବା ବେଳେ ଚଳିତ ବର୍ଷ କିଛି ଗାଁ ଗୁଡିକରେ ଗ୍ରାମ ପିଢ଼ ପୂଜା କରି ନବାନ୍ନ ଅର୍ପଣ କରି ନୂଆଁଖାଇ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବ ପ୍ରଥମେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ରେଢ଼ାଖୋଲ ସହରର ଶିବଶଙ୍କର ପଡ଼ା ସ୍ଥିତ ମାଁ ଅନ୍ଧାର ବାଉତୀ ଙ୍କ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା କରି ସେବକ ଓ ଭକ୍ତ ମାନଙ୍କ ଗହଣରେ ରାଜବାଟି ସ୍ଥିତ ପଞ୍ଚଖଣ୍ଡା ମନ୍ଦିର ଠାରେ ପହଞ୍ଚିଥିଲେ। ଏଥିରେ ରାଜ ପରିବାର କର୍ତ୍ତା ଭାବରେ ବିର କିଶୋର ଦେଓ ଓ ବିର ବିକ୍ରମ ଦେଓ ଦାୟିତ୍ୱ ନିର୍ବାହ କରିଥିଲେ। ତା ସହିତ ମହାବୀର ସିଂ ଦେଓ, ରମେଶ ସିଂ,ରଞ୍ଜନ ରାଉତ, ସିତୁ ଭଞ୍ଜ, ସମୁ ବିର୍,ରାଜା ବିର,ସଂହାର କେଶରୀ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ। ପ୍ରଭୁ ପଞ୍ଚଖଣ୍ଡା ଙ୍କ ପୂଜାର୍ଚ୍ଚନା ପୂର୍ବକ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନେ ସ୍ଥାନେ ପୂଜାର୍ଚ୍ଚନା ହୋଇ ଶେଷରେ କେରାଣ୍ଡୀ ଜୋର ସ୍ଥିତ ନୂଆଁମୁଣ୍ଡା ପୂଜା ପୀଠରେ ପହଞ୍ଚିଥିଲେ। ତା ପରେ ସେଠାରେ ରୀତିନୀତି ବିଦ୍ଧିବିଦ୍ଧ ପୂର୍ବକ ପୂଜା କରାଯାଇ ଉଭୟ ଠାକୁରଙ୍କ ପାଖରେ ନବାନ୍ନ ଲଗା ଯାଇଥିଲା। ତା ପରେ ରେଢ଼ାଖୋଲ ସହର ସାରା ପ୍ରଭୁ ପଞ୍ଚଖଣ୍ଡା ଙ୍କ ଶୋଭାଯାତ୍ରା ପରିକ୍ରମା କରାଯାଇଥିଲା। ଏହି ନୂଆଁମୁଣ୍ଡା ଉତ୍ସବରେ ମୁଖ୍ୟ ପୂଜକ ଭାବରେ ଦେହୁରୀ ପରିବାର ଏବଂ ମା ଅନ୍ଧାର ବାଉତିଙ୍କ ସେବକ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଜନ ସାଧାରଣ ମାନେ ସାମିଲ ରହି ସକ୍ରିୟ ସହଯୋଗ କରିଥିଲେ।
