କରମ ପର୍ବ ପାଇଁ ବୈତରଣୀ ନଦୀରୁ ଜାୱା ଉଠାଇଲେ କୁଡୁମୀ ସମାଜ
ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କୁଆପଶିଠାରେ କରମ ପର୍ବ ପାଳନ ପାଇଁ ପାରମ୍ପରିକ ରୀତିନୀତିରେ ଜାୱା ଉଠାଯାଇଛି। କୁଆପଶିଠାରେ ବ୍ଲକସ୍ତରୀୟ କରମ ପର୍ବ ଆୟୋଜନ ହେବାକୁ ଥିବାବେଳେ ଏହାକୁ ନେଇ କୁଡୁମୀ ସମାଜ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ତିନି ଦିନ ଧରି ଝୁମର ନୃତ୍ୟ ସହ ବିଭିନ୍ନ ପାରମ୍ପରିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। କରମ ପର୍ବର ପରମ୍ପରା ଅନୁଯାୟୀ ରବିବାର କୁଡୁମୀ ସମାଜର ମହିଳା ଓ ପୁରୁଷମାନେ ବୈତରଣୀ ନଦୀର ଧାନବେଣୀ ଘାଟରେ ପହଞ୍ଚିଥିଲେ। ସେଠାରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ଜାୱା ଉଠାଇଥିଲେ। ପରେ ଝୁମର ନୃତ୍ୟ ଓ ଗୀତର ତାଳେ ତାଳେ ଜାୱାକୁ କୁଆପଶି ଗ୍ରାମ ନିକଟକୁ ଅଣାଯାଇଥିଲା। ଏହି ଅବସରରେ ମହିଳା ଓ ପୁରୁଷମାନେ ପାରମ୍ପରିକ ବେଶଭୂଷାରେ ସଜି ଝୁମର ନୃତ୍ୟ ପରିବେଷଣ କରିଥିଲେ। ଢୋଲ, ମାଦଳ ଓ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳରେ ନୃତ୍ୟଗୀତରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। କରମ ପର୍ବ କୁଡୁମୀ ସମାଜର ଏକ ପାରମ୍ପରିକ ତଥା ଲୋକସଂସ୍କୃତି ସହ ଜଡ଼ିତ ପର୍ବ। ଏହି ପର୍ବ ମାଧ୍ୟମରେ ସମାଜର ପାରମ୍ପରିକ ରୀତିନୀତି, ଲୋକନୃତ୍ୟ ଓ ଲୋକଗୀତର ସଂରକ୍ଷଣ ସହ ସାମାଜିକ ଏକତାର ବାର୍ତ୍ତା ମଧ୍ୟ ପ୍ରକାଶ ପାଇଥାଏ। କରମ ପର୍ବକୁ ନେଇ ମହିଳା ଓ ପୁରୁଷଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା କୁଡୁମୀ ଜାତିର ଉପଦେଷ୍ଟା ଲାଲମୋହନ ମହାନ୍ତ ଯୋଗଦେଇଥିଲେ। କରମ ସଭାପତି ପୁଷ୍ପଲତା ମହାନ୍ତ, ସମ୍ପାଦକ ଦମୟନ୍ତୀ ମହାନ୍ତ, କୋଷାଧ୍ୟକ୍ଷ ଅର୍ଜୁନ ଚରଣ ମହାନ୍ତ, ଓଡ଼ିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ଯୁବ ସମ୍ପାଦକ ବିଶ୍ୱଜିତ ମହାନ୍ତ, ସଂଯୋଜକ ତଥା ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ, ତ୍ରିନାଥ ମହାନ୍ତ, ଖଗେଶ୍ୱର ମହାନ୍ତ, ପବିତ୍ର ମହାନ୍ତ, ବସନ୍ତ କୁମାର ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ବିରଞ୍ଚି ମହାନ୍ତ, ପ୍ରମିଳା ମହାନ୍ତ, କଲ୍ୟାଣୀ ମହାନ୍ତ, ଫକୀର ମୋହନ ମହାନ୍ତ ଓ ସୌମ୍ୟରଞ୍ଜନ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ। କୁଆପଶିଠାରେ 20 ତାରିଖରୁ 22ତାରିଖ ପର୍ଯ୍ୟନ୍ତ ବ୍ଲକସ୍ତରୀୟ କରମ ପର୍ବକୁ ସଫଳ କରିବା ପାଇଁ ଆୟୋଜକ ଓ କୁଡୁମୀ ସମାଜ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି।
