ତାଳଚେର ସରକାରୀ ଆଇଟିଆଇରେ ‘ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ’ ଅନୁଷ୍ଠିତ
ରିପୋର୍ଟ ମନୋଜ ରାଉତ, ତାଳଚେର
ତାଳଚେର: ୯.୯.୨୬.(ନିପ୍ର) ଭଞ୍ଜଦୂତ ଖବର କାଗଜ
ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ITI), ତାଳଚେର ପରିସରରେ ଏକ ଭବ୍ୟ ‘ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ’ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ସ୍ଵାବଲମ୍ବନ ଓ ଉଦ୍ୟୋଗ ପ୍ରତିଷ୍ଠାର ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଅନୁଷ୍ଠାନର ଅଧ୍ୟକ୍ଷ (Principal) ଶ୍ରୀଯୁକ୍ତ ଅଭିରାମ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ଵଦେଶୀ ଜାଗରଣ ମଞ୍ଚର ସହ-ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଏବଂ ବିଭାଗ ସଂଗଠକ ଶ୍ରୀ ପ୍ରଦୀପ୍ତ ବାରିକ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ଚାକିରି ପଛରେ ନଗୋଡ଼ାଇ ନିଜେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଉଦ୍ୟୋଗୀ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାମନ୍ତ ଓ ଶ୍ରୀଯୁକ୍ତ ଅଶୋକ ବାରିକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ନିଜ ଜୀବନର ସଂଘର୍ଷ, ସଫଳତା ଓ ବ୍ୟବସାୟ ପ୍ରତିଷ୍ଠାର ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ।
ଅନୁଷ୍ଠାନର ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ସମ୍ମିଳନୀରେ ଉପସ୍ଥିତ ରହି ଉଦ୍ୟୋଗ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ ମାର୍ଗଦର୍ଶନ ହାସଲ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଅତିଥି, ପ୍ରଶିକ୍ଷାର୍ଥୀ ତଥା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
