ସାରସକଣା ବ୍ଳକରେ ଖରିଫ ଋତୁର ଧାନ ବିକ୍ରୟ ପାଇଁ ୫୧୮୫ ଚାଷୀ ପଞ୍ଜିକୃତ
______________
ସାରସକଣା,(୯/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ପ୍ରାୟ ଅଧିକାଂଶ ଚାଷୀ ଧାନ ଚାଷ କରି ପରିବାର ଭରଣପୋଷଣ କରିଥାନ୍ତି । ଏଥି ନିମନ୍ତେ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରି ଉପଯୁକ୍ତ ଧାନ ମୂଲ୍ୟ ପ୍ରଦାନ କରୁଛନ୍ତି । ଏଥି ନିମନ୍ତେ ସାରସକଣା ବ୍ଲକର ୧୭ ଗୋଟି ପଞ୍ଚାୟତରୁ ଚଳିତ ଖରିଫ୍ ଋତୁରେ ସରକାରଙ୍କୁ ଧାନ ବିକ୍ରୟ କରିବା ନିମନ୍ତେ ୨୦୨୬-୨୭ ବର୍ଷ ନିମନ୍ତେ ମୋଟ ୫୧୮୫ ଜଣ ଚାଷୀ ତାଙ୍କ ନାମ ସମବାୟ ସମିତିରେ ପଞ୍ଜିକୃତ କରିଥିବା ଜଣା ପଡିଛି । ସାରସକଣା ବ୍ଳକର ଶୀର୍ଷା ବୃହଦାକାର ଆଦିବାସୀ ସମବାୟ ସମିତି ଝାର ପୋଖରିଆ ଶାଖାର ୮ ଗୋଟି ପଞ୍ଚାୟତରୁ ମୋଟ ୨୩୪୮ ଜଣ ଚାଷୀ ଧାର୍ଯ୍ୟ ତାରିଖ ୭/୯/୨୬ ସୁଦ୍ଧା ନାମ ପଞ୍ଜିକରଣ କରିଥିବା କଥା ସମିତିର ଶାଖା ପରିଚାଳକ ସ୍ଵରୂପ କୁମାର ଶତପଥୀଙ୍କ ଠାରୁ ସୂଚନା ମିଳିଛି । ସେହିପରି ଉକ୍ତ ବ୍ଲକର ଅନ୍ୟତମ ସାରସକଣା ଆଦିବାସୀ ବହୁମୁଖୀ ସମବାୟ ସମିତି ଅଧୀନରେ ଥିବା ୯ ଗୋଟି ପଞ୍ଚାୟତରୁ ମୋଟ ୨୮୩୭ ଜଣ ଚାଷୀ ନାମ ପଞ୍ଜିକୃତ ହୋଇ ଥିବା କଥା ସମିତି ଶାଖା ପରିଚାଳିକା ମନିଷା ଭୋଳଙ୍କ ଠାରୁ ଜଣା ପଡିଛି । ସୂଚନା ଯୋଗ୍ୟ ଯେ ଗତ ୨୦୨୫-୨୬ ବର୍ଷରେ ଖରିଫ୍ ଋତୁରେ ଦୁଇ ସମବାୟ ସମିତି ଅଧୀନରେ ମୋଟ ୩୯୪୩ ଜଣ ଚାଷୀ ପଞ୍ଜିକୃତ ହୋଇ ଥିବା ବେଳେ ଚଳିତ ବର୍ଷ ୨୦୨୬-୨୭ ରେ ମୋଟ ୫୧୮୫ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଯାହାକି ଗତବର୍ଷ ତୁଳନାରେ ଚଳିତବର୍ଷ ଉକ୍ତ ଦୁଇ ସମିତିରେ ମୋଟ ୧୨୪୨ ଜଣ ଚାଷୀ ଅଧିକଭାବେ ପଞ୍ଜିକୃତ ହୋଇଛନ୍ତି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
