
ସୋର/ଔପଦା (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସକାଳୁ ସକାଳୁ ଗୋହାଳକୁ ଗଲା ବେଳେ ଏକ ଗର୍ଜନ ଶବ୍ଦ ବାରି ହୋଇ ପଡ଼ିଲା। ତତକ୍ଷଣାତ ଦେଖିଲା ବେଳକୁ ଏକ ବିରାଟକାୟ ଅଜଗର ସାପ। ସୂଚନା ଅନୁସାରେ ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଦାରିପୋଖରୀ ଗ୍ରାମର ନିତ୍ୟାନନ୍ଦ ମହାନ୍ତି ଆଜି ସକାଳେ ତାଙ୍କ ଗୋହାଳ ଘରେ ଏକ ବିରାଟ ଅଜଗର ସାପ ଗର୍ଜନ କରୁ ଥିବା ଦେଖିଥିଲେ।ପରେ ଭୟଭୀତ ହୋଇ ଔପଦା ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ଓ ସାପ ଧରାଳୀ ଘଟଣାସ୍ଥଳରେ ପହଂଚି ଥିଲେ। ସାପ ଧରାଳି ନିଜର କୌଶଳ ଅନୁସାରେ ଏକ ୮ ଫୁଟର ବିରାଟ ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡ଼ିହା ଅଭୟାରଣ୍ୟ ଅଧିନ ଦେବଗିରି ଜଙ୍ଗଲରେ ଛାଡିଥିଲେ। ଉଦ୍ଧାର ଅଜଗରଟି ଦୁଇଟି କୁକଡା ଗିଳିଥିଲା। ସାପଟିର ଲମ୍ବ ୮ ଫୁଟ ଓ ଓଜନ ୧୦ କିଲୋରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।