**ଏସ୍ଆଇଆର୍-୨୦୨୬ରେ ନୂଆପଡ଼ାର ଶତ ପ୍ରତିଶତ ନୋଟିସ୍ ବଣ୍ଟନ ସମୁଦାୟ ୮୩,୮୪୭ ନୋଟିସ୍ ବଣ୍ଟନ, ୫୨,୭୩୧ ମାମଲାର ଶୁଣାଣି*
*
ନୂଆପଡ଼ା(ମିଖାଏଲ ନନ୍ଦ) ତା.୧୧/୦୮:
ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାରେ ନୂଆପଡ଼ା ଜିଲ୍ଲା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଜିଲ୍ଲାର ୭୧-ନୂଆପଡ଼ା ଓ ୭୨-ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରେ ଉତ୍ପନ୍ନ ସମସ୍ତ ୮୩,୮୪୭ଟି ନୋଟିସ୍ର ବଣ୍ଟନ ଶତ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଫଳରେ ନୋଟିସ୍ ବଣ୍ଟନରେ କୌଣସି ମାମଲା ବକେୟା ରହିନାହିଁ।
୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୪୧,୯୧୫ଟି ଏବଂ ୭୨-ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀରେ ୪୧,୯୩୨ଟି ନୋଟିସ୍ ଉତ୍ପନ୍ନ ହୋଇଥିଲା। ଉଭୟ ନିର୍ବାଚନମଣ୍ଡଳୀରେ ସମସ୍ତ ନୋଟିସ୍ ସଫଳତାର ସହ ବଣ୍ଟନ କରାଯାଇଛି।
ନୋଟିସ୍ ବଣ୍ଟନ ସହ ଶୁଣାଣି ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାରେ ୫୨,୭୩୧ଟି ମାମଲାର ଶୁଣାଣି ହୋଇଛି। ଏଥିମଧ୍ୟରୁ ୭୧-ନୂଆପଡ଼ାରେ ୨୭,୦୯୭ଟି ଓ ୭୨-ଖରିଆରରେ ୨୫,୬୩୪ଟି ମାମଲାର ଶୁଣାଣି ହୋଇଛି।
ସେହିପରି, ଉତ୍ପନ୍ନ ନୋଟିସ୍ ସମ୍ବନ୍ଧୀୟ ୫୦,୭୬୨ଟି ମାମଲା ଚୂଡ଼ାନ୍ତ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ଏସ୍ଆଇଆର୍-୨୦୨୬ର ସମଗ୍ର ପ୍ରକ୍ରିୟାକୁ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ କରାଯାଉଛି। ଅବଶିଷ୍ଟ ଶୁଣାଣି ସମ୍ବନ୍ଧୀୟ ମାମଲା, ବିଶେଷକରି ଶୁଣାଣି ତାରିଖ ଅତିକ୍ରମ କରିଥିବା ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ERO, AERO, BLO ସୁପରଭାଇଜର ଓ BLOମାନଙ୍କୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଠିକ୍ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱାରୋପ କରିଛି।
