
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ମାଙ୍କଡ଼କୁ ସ୍ନେହ ଶ୍ରଦ୍ଧାରେ ବିସ୍କୁଟ ଖାଇବାକୁ ଦେବା ବେଳେ ଉକ୍ତ ମାଙ୍କଡ଼ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣା ରୁ ପ୍ରକାଶ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଦିଗି ଗ୍ରାମରେ ଆଜି ମଧ୍ୟାହ୍ନରେ ମାଙ୍କଡ କାମୁଡ଼ାରେ ଦୁଇଜଣ ଆହତ ହୋଇଛନ୍ତି। ଏହି ଗ୍ରାମର ସୂର୍ଯ୍ୟସ୍ମିତା ନାୟକ ଘରେ ଥିବା ବେଳେ ଏକ ମାଙ୍କଡକୁ ଦେଖି ବିସ୍କୁଟ ଖାଇବାକୁ ଦେଇଥିଲେ। ଏହି ସମୟରେ ମାଙ୍କଡଟି ତାଙ୍କ ହାତକୁ ଆକ୍ରମଣ କରିଥିଲା। ପରେ ତାଙ୍କ ଶାଶୁ ମାଳତୀ ନାୟକ (୬୨) ଘରେ ଥିବା ବେଳେ ତାଙ୍କ ହାତକୁ ମଧ୍ୟ ମାଙ୍କଡଟି ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ପ୍ରଥମେ ବାଗୁଡି ଓ ପରେ ସୋର ଡାକ୍ତରଖାନାରେ ଚିକିତ୍ସା କରାଇବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡ ମାନଙ୍କୁ ଉଦ୍ଧାର କରି ନ ପାରି ଫେରିଯାଇଥିଲେ। ଫଳରେ ସ୍ଥାନୀୟ ଲୋକେ ଉକ୍ତ ମାଙ୍କଡ଼ ପାଇଁ ନିଜକୁ ସୁରକ୍ଷିତ ନ ମଣି ଭୟଭୀତ ଥିବା ଜଣାପଡିଛି।