
ସାପ କାମୁଡାରେ 35ବର୍ଷୀୟା ଲଳିତା ରଇତ ଓ 6ବର୍ଷ ର ପୁଅ ଅମିତ୍ ମୃତ ।
ଗଜପତି ( ଟିକି ଲିମା)
ଗଜପତିଜିଲ୍ଲା ରାୟଗଡ଼ ଥାନା ଜଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଡମ୍ବାତାଳ ଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ରାତିରେ ଘରେ ଶୋଇଥିବା ବେଳେ ରଣା ସାପ କାମୁଡ଼ାରେ ମାଆ ଓ ତାଙ୍କ 6 ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, କଡମ୍ବାତାଳ ଗ୍ରାମର ଅଜୟ କୁମାର ବଡ଼ରଇତ ତାଙ୍କ ପତ୍ନୀ ଲଳିତା ବଡ଼ରଇତ (35), 6 ବର୍ଷର ପୁଅ ଅମିତ ଓ ଦେଢ଼ ବର୍ଷର ଝିଅଙ୍କ ସହ ଗତକାଲି ରାତିରେ ଘରେ ଶୋଇଥିଲେ। ରାତି ଅଧରେ ଦୁଇଟି ରଣା ସାପ ଘର ଭିତରକୁ ପଶି ଲଳିତା ଓ ଅମିତଙ୍କୁ କାମୁଡ଼ି ଦେଇଥିଲା। ଯନ୍ତ୍ରଣାରେ ଉଭୟ ଚିତ୍କାର କରିବାରୁ ଅଜୟଙ୍କ ନିଦ ଭାଙ୍ଗିଥିଲା। ସେ ଉଠିବା ବେଳକୁ ଘର ଭିତରେ ଦୁଇଟି ସାପ ବୁଲୁଥିବା ଦେଖିଥିଲେ। ପରିବାର ଲୋକେ ତୁରନ୍ତ ମାଆ ଓ ପୁଅଙ୍କୁ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମାଆ ଲଳିତା ଓ ପୁଅ ଅମିତଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଅଜୟ କୁମାର ବଡ଼ରଇତ ଓ ତାଙ୍କ ଦେଢ଼ ବର୍ଷର କନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକାସାଙ୍ଗରେ ମାଆ ଓ ପୁଅଙ୍କ ମୃତ୍ୟୁ ପରେ କଡମ୍ବାତାଳ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
