ଦୀପାବଳିରେ ବାଣ ଫୁଟାଇବା ବେଳେ ସୋର ରେ ୧୫ ରୁ ଉର୍ଦ୍ଧ୍ବ ଆହତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି କିଛି ପରିବାର ପାଇଁ ଆଣିଦେଲା ଦୁଃଖ , ଆତଙ୍କ ଓ ଭୟର ବାତାବରଣ। ଆଲୋକର ଏହି ମହାନ ପର୍ବରେ ବାଣ ଫୁଟାଇବା ବେଳେ ଘଟିଛି ବଡ଼ଧରଣର ଅଘଟଣ। ବାଣ ବିସ୍ଫୋରଣର ଅସାବଧାନତା କାରଣରୁ ସୋର ପୌରପାଳିକା ଏବଂ ବିଭିନ୍ନ ଗ୍ରାମାଞ୍ଚଳରୁ ୧୫ ଜଣରୁ ଉର୍ଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରେ ବିଶେଷକରି ମହିଳା, ଶିଶୁ, ଯୁବକମାନେ ମଧ୍ୟ ସାମିଲ ଅଛନ୍ତି। ବାଣ ଫୁଟାଇବା ସମୟରେ ହାତରେ ବାଣ ଫୁଟି ଯିବାରୁ ଅଧିକାଂଶ ବ୍ୟକ୍ତି ଗୁରୁତର ଆଘାତ ପାଇଛନ୍ତି। ଆହତମାନଙ୍କ ଭିତରେ ଶିରାପୁର ଗ୍ରାମର ଜଣେ ମହିଳା, ଛତ୍ରପୁର ରାମପୃଷ୍ଟି ପୋଖରୀ ଆଡ଼ିର ଜଣେ ମହିଳା, କମାଣପୁରର ଶିଶୁ ଦଇତାପତି ଧଡ଼ା ଏବଂ ଉଲ୍ଲାସ ଖଡ଼ଗପୁରର ରଶ୍ମି ପ୍ରଧାନ ପ୍ରମୁଖ ରହିଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଦଳ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସଚେତନତାର ଅଭାବ ଏବଂ ବାଣ ଫୁଟାଇବା ସମୟରେ ଅସାବଧାନତାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି।
