*ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ; ବାଘ ଛାଲ ସହ ୨ ଜଣଙ୍କୁ ବାନ୍ଧିଲା ବନ ବିଭାଗ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା-୦୪/୦୬:
ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଶିକାରୀମାନେ ବେଆଇନ ଶିକାର ଓ ବନ୍ୟଜନ୍ତୁଙ୍କ ଦେହାବଶେଷ କାରବାର ଚଳାଇଛନ୍ତି। ଏହି କ୍ରମରେ ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ଼ ରାଜ୍ୟର ଉଦନ୍ତୀ-ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ଏକ ମହାବଳ ବାଘ ଛାଲ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭ ଅଞ୍ଚଳରେ ବାଘ ଛାଲର ଡିଲ୍ ଚାଲିଥିବା ନେଇ ଆଣ୍ଟି ପୋଚିଂ ଟିମକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ବନ ବିଭାଗ ଟିମ୍ ଚଢ଼ାଉ କରି ଭାନୁପ୍ରତାପପୁର ଗାଁ ନିକଟରୁ ଦୁଇଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ଏକ ବିରାଟ ମହାବଳ ବାଘ ଛାଲ ଜବତ କରାଯାଇଛି।ଗିରଫ ହୋଇଥିବା ଶିକାରୀମାନେ ମହାରାଷ୍ଟ୍ରର ବ୍ରହ୍ମପୁରୀ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ବାଘକୁ ଇନ୍ଦ୍ରାବତୀ ଅଭୟାରଣ୍ୟରେ ଶିକାର କରିଥିବା ସ୍ୱୀକାର କରିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳରେ ମାଓବାଦୀଙ୍କ ପ୍ରଭାବ କମିଥିବା ବେଳେ ବନ୍ୟଜନ୍ତୁ ଶିକାରୀଙ୍କ ସକ୍ରିୟତା ବଢ଼ିବାରେ ଲାଗିଛି, ଯାହା ବନ ବିଭାଗ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଉଭୟ ରାଜ୍ୟର ବନ ବିଭାଗ ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ଜରୁରୀ ହୋଇପଡ଼ିଛି, ନଚେତ ଆଗାମୀ ଦିନରେ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଲୋପ ପାଇଯିବା ଆଶଙ୍କା ରହିଛି।
