ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ବେତନଟୀ ଶାଖାରେ ସମବାୟ ସପ୍ତାହର ଶୁଭାରମ୍ଭ
ବେତନଟୀ : ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ବେତନଟୀ ଶାଖା ପକ୍ଷରୁ ଗତ ୨୯ ଜୁନରୁ ୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସମବାୟ ସପ୍ତାହ ପାଳନ କରାଯାଉଛି। ଏହାର ଶୁଭାରମ୍ଭ ଅବସରରେ ଗତ ସୋମବାର ସକାଳ ୯ଟାରେ ଶାଖା ପରିସରରେ ପତାକା ଉତ୍ତୋଳନ ଓ ସମବାୟ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶାଖା ପରିଚାଳକ ସ୍ୱସ୍ତିକ ଜେନା ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ କର୍ମଚାରୀ, ଏଜେଣ୍ଟ, ଗ୍ରାହକ ଓ ସମବାୟପ୍ରେମୀ ବ୍ୟକ୍ତିମାନଙ୍କୁ ସମବାୟ ଶପଥ ପାଠ କରାଇଥିଲେ। ଏହି ଅବସରରେ ସେ ସମବାୟ ଆନ୍ଦୋଳନର ଆଦର୍ଶ, ଗ୍ରାମୀଣ ଅର୍ଥନୈତିକ ବିକାଶରେ ସମବାୟର ଭୂମିକା ଏବଂ ସମବାୟ ମାଧ୍ୟମରେ ଆତ୍ମନିର୍ଭରଶୀଳ ସମାଜ ଗଠନ ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସହକାରୀ ଶାଖା ପରିଚାଳକ ସାଗରିକା ପଣ୍ଡା, କର୍ମଚାରୀ ଅଭିରାମ ପାଣି ଓ ସତ୍ୟଜିତ ରାଉତ ଉପସ୍ଥିତ ଥିଲେ। ସେହିପରି ବ୍ୟାଙ୍କର ଏଜେଣ୍ଟ ଜାମିନୀକାନ୍ତ ନାୟକ, ସଞ୍ଜୀବ ବେହେରା, ସୁମନ୍ତ କୁମାର ବେହେରା, ସତ୍ୟରଞ୍ଜନ ବେହେରା ଓ ପ୍ରଭାକର ପୁହାଣଙ୍କ ସମେତ ବହୁ ସମବାୟପ୍ରେମୀ ବ୍ୟକ୍ତି ଏବଂ ଗ୍ରାହକ ଉପସ୍ଥିତ ରହିଥିଲେ। ସମବାୟ ସପ୍ତାହ ପାଳନ ଅବସରରେ ଆସନ୍ତା ୬ ଜୁଲାଇ ପର୍ଯ୍ୟନ୍ତ ଶାଖା ପକ୍ଷରୁ ସମବାୟ ସଚେତନତା, ଆର୍ଥିକ ସାକ୍ଷରତା, ଗ୍ରାହକ ସେବା ଓ ସମବାୟର ପ୍ରସାର ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ସମବାୟର ମୂଲ୍ୟବୋଧକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସମବାୟ ପ୍ରତି ସଚେତନତା ବୃଦ୍ଧି କରାଯିବ ବୋଲି ଶାଖା ପକ୍ଷରୁ ପ୍ରକାଶ କରାଯାଇଛି।
