ପାଇକାଳୀ ଠାରୁ ସୋର କଲେଜଛକ ଡ୍ରେନ୍ ପାଇଁ ଉଚ୍ଚସ୍ତରୀୟ ପରିଦର୍ଶନ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)- ସୋର ଉତ୍ତରେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପଶ୍ଚିମ ପାଶ୍ୱର୍ରେ ସ୍ଥାୟୀ ଭାବେ ଡ୍ରେନ୍ ନିର୍ମାଣ ପାଇଁ ସୋର ବିଧାୟକ, ପ୍ରଶାସନ ଓ ପୂର୍ତ୍ତ ବିଭାଗ ତରଫରୁ ଯୁଗ୍ମ ପରିଦର୍ଶନ କରାଯାଇଛି। ଜାତୀୟ ରାଜପଥ ୬ଟିକିଆ ରାସ୍ତା ନିର୍ମାଣ ଶେଷ ହୋଇଥିବା ବେଳେ ଉତ୍ତରେଶ୍ୱର ଠାରୁ କଲେଜଛକ ଜଳ ନିଷ୍କାସନ ଏବେ ବଡ଼ ସମସ୍ୟା ହୋଇ ରହିଥିଲା। ପ୍ରତ୍ୟେକ ବର୍ଷ ବର୍ଷାଦିନ ହେଲେ ଅଧିକାଂଶ ସମୟରେ ଉତ୍ତରେଶ୍ୱର ବଜାର ଜଳମଗ୍ନ ହୋଇ ରହୁଥିବାରୁ ବେଳେ ସାମାନ୍ୟ ବର୍ଷା ଜଳ ଜମାରହି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହେଉଥିବା ସଂପର୍କରେ ସୋରବାସୀଙ୍କ ତରଫରୁ ଦାବିକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ତରଫରୁ ପାଇକାଳୀଠାରୁ କଲେଜଛକ ପର୍ଯ୍ୟନ୍ତ ଅଢ଼େଇ କିଲୋମିଟର ରାସ୍ତାକୁ ୧୯ କୋଟି ଟଙ୍କାର ଟେଣ୍ଡର କରାଯାଇଛି। ଏହି ଉପଲକ୍ଷେ ଆଜି ସୋର ବିଧାୟକ ମାଧବ ଧଡ଼ା, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶ୍ରୀସଙ୍ଗୀତା ସାହୁ, ଜେଇ ଲକ୍ଷ୍ମଣ ମୁର୍ମୁ, ସୋର ତହସିଲଦାର କୃଷ୍ଣଚନ୍ଦ୍ର ସିଂହ, ପୌର କାର୍ଯ୍ୟନିର୍ବାହୀ ଅଧିକରୀ ବିଶ୍ୱରଂଜନ ପ୍ରଧାନ, ଇଲେକ୍ଟ୍ରିକାଲ ଏସ୍ଡିଓ, ଫରେଷ୍ଟ ବିଭାଗ ଅଧିକରୀ ଏବଂ ବ୍ରିଜଗୋପାଳ ଡିଜାଇନିଂ ଇଂଜିନିୟର ପ୍ରମୁଖ ଉପସ୍ଥିତ ରହି ଏହି ରାସ୍ତା ପାଶ୍ୱର୍ ଡ୍ରେନ ନିର୍ମାଣ ପାଇଁ ପରିଦର୍ଶନ କରିଥିଲେ। ଏହି ଡ୍ରେନ୍ଟି ୩ ମିଟର ଓସାର ଏବଂ ୩ ମିଟର ଗଭୀର ହେବ ବୋଲି ଜଣାପଡ଼ିଛି। ଯାହା ଫଳରେ ପାହାଡ଼ରୁ ଆସୁଥିବା ବର୍ଷା ଜଳ ସୁବିଧାରେ ନିଷ୍କାସିତ ହୋଇ ପାରିବ ବୋଲି ଅଧିକରୀମାନେ କହିଛନ୍ତି।
