ଉଡ଼ନ୍ତା ରେଳ ଓଭରବ୍ରିଜ ତଳୁ ଜବରଦଖଲ ହଟାଇବାକୁ ଚେତାବନୀ
ସୋର(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)::: ସୋର ଉଡନ୍ତା ପୋଲ ତଳୁ ଜବରଦଖଲ ପରେ ବି କେତେକ ଅମାନିଆ ଷ୍ଟଲ କରି ଦୋକାନ କରି ଜାମ ଦେଖିବାକୁ ମିଳୁଛି। ଗତକାଲି ଅପରାହ୍ଣରେ ସୋର ତହସିଲଦାରଙ୍କ ତରଫରୁ ଉଡ଼ନ୍ତା ରେଳ ଓଭରବ୍ରିଜ୍ ତଳେ ଜବର ଦଖଲ କରି ଦୋକାନ କରିଥିବା ବ୍ୟକ୍ତିମାନଙ୍କୁ ଦୁଇଦିନ ଭିତରେ ହଟିଯିବାକୁ ନୋଟିସ୍ ଜାରି କରାଯାଇଛି। ଏଥି ସହିତ ବ୍ରିଜ ତଳେ ବେଆଇନ ଭାବେ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକ ହଟାଇବା ପାଇଁ ଆର୍ଟିଓଙ୍କୁ ଅବଗତ କରାଯାଇଛି। ଗତ କିଛିଦିନ ହେଲା କେତେକ ଉଠା ଦୋକାନୀ ସେମାନଙ୍କ ପସରା ମେଲାଇ ରାସ୍ତା ଅବରୋଧ କରୁଥିବା ଫଳରେ ଅଧିକାଂଶ ସମୟରେ ଟ୍ରଫିକ ଜାମ୍ ହେଉଥିବା କାରଣରୁ ଜନଶୁଣାଣି ବେଳେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପ୍ରକାଶ ଥାଉକି ଗତବର୍ଷ ଏହି ବ୍ରିଜ୍ ତଳେ ସମସ୍ତ ବ୍ୟବସାୟୀଙ୍କୁ ହଟାଇ ଦିଆଯାଇଥିଲେ ବି ପୁନଶ୍ଚ ଏହି ବ୍ୟବସାୟୀମାନେ ଅବରୋଧ କରିବାରେ ଲାଗିଛନ୍ତି। ଏଥି ସହିତ ବ୍ରିଜ୍ର ପୂର୍ବ ତରଫ ଗୋଶାଳା ପାଖରେ ବସୁଥିବା ପରିବା ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ ନଥିବାରୁ ଷ୍ଟେସନକୁ ଲାଗିଥିବା ଏହି ରାସ୍ତା ସବୁ ସମୟରେ ଜାମ୍ ରହି ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି।
