ସୋର (ଜ୍ୟୋତି ପ୍ରକାଶ ଦିକ୍ଷୀତ): ସୋରେ ରେ ବଢୁଛି ଚୋରି, ରାହାଜାନୀ । ପୁଲିସ ର କାର୍ଯ୍ୟନୁଷ୍ଠାନ କୁ ନେଇ ପ୍ରଶ୍ନବାଚୀ? ବାଲେଶ୍ୱର ଜିଲ୍ଲା ସୋର ଥାନା କମରପୁର ଗାଁରେ ଗତକାଲି ରାତିରେ ଜଣେ ଡକ୍ଟରଙ୍କ ଘରୁ ଲୁଟ ହୋଇଥିବା ବେଳେ ଜଣେ ଚୋରକୁ କାବୁ କରି ପରିବାର ଲୋକେ ପୁଲିସ କୁ ହସ୍ତାନ୍ତର କରିଛନ୍ତି l ସୂଚନା ଅନୁସାରେ ଆୟୋର୍ବେଦ ଡ଼ାକ୍ତର ହିମାଂଶୁ ଶେଖର ଦାସ ତାଙ୍କ ପରିବାର ଲୋକଙ୍କ ସହ ଏକ ବିବାହ କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଭଦ୍ରକ ଯାଇଥିଲେ l ଏହାର ସୁଯୋଗ ନେଇ ୪ ଜଣ ଚୋର ଘର ଭିତରକୁ ପଶି ଚୋରୀ କରିଥିଲେ l ଠିକ ସେହି ସମୟରେ ହିମାଂଶୁ ଓ ତାଙ୍କ ଶଳା ଦିଲୀପ ମହାଳିକ ଘରେ ପହଂଚି ତାଙ୍କ ଘରେ ଚୋର ପଶିଥିବା ଜାଣିବାକୁ ପାଇଥିଲେ। ପରେ ସ୍ଥାନୀୟ ଲୋକଙ୍କୁ ଖବର ଦେବା ସହିତ ଘର ଭିତରକୁ ପଶିଥିଲେ। ଏହି ସମୟରେ ଚୋରମାନଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ତିନିଜଣ ଚୋର ଫେରାର ହୋଇଯାଇଥିବା ବେଳେ ଜଣେ ଚୋରକୁ ସେମାନେ କାବୁ କରି ଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଜିମା ନେଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଟକ ଥିବା ଚୋର ଜଣକ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ହୋଇଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି l
