ମୟୂରଭଞ୍ଜରେ ଇଡିର ଚଢ଼ାଉ, ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ
ଉଦଳା ୪/୧୧(ସତ୍ୟବାନ ନାୟକ): ମନି ଲଣ୍ଡରିଂ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ ଜାରି ରହିଛି। କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗାଁରେ ଏକାଧିକ ସ୍ଥାନରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବେ ପରିଚିତ ଈଶ୍ୱର ବିନ୍ଧାଣୀଙ୍କ ଘରେ ଇଡି ଚଢ଼ାଉ କରିଛି। ଆଜି ସକାଳୁ ଇଡିର ତିନି ଜଣିଆ ଟିମ୍, ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ପୋଲିସର ମିଳିତ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।
ଅଭିଯୋଗ ଅନୁସାରେ, ଈଶ୍ୱର ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର ସମେତ ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ପ୍ରାୟ ୭୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗ ରହିଛି। ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଇଡି ପକ୍ଷରୁ ତଦନ୍ତ ଓ ଚଢ଼ାଉ ଜାରି ରହିଛି। ଚଢ଼ାଉ ସମୟରେ କେଉଁ କେଉଁ ଦସ୍ତାବିଜ୍ କିମ୍ବା ଅନ୍ୟ ସାମଗ୍ରୀ ଜବତ ହୋଇଛି, ସେନେଇ ଅଧିକାରିକ ସୂଚନା ମିଳିନାହିଁ।
