୩୨୬-ଏ ଜାତୀୟ ରାଜପଥରେ ଧସିଲା ରାସ୍ତା: ରାୟଗଡ଼ବରୁ ମୋହନା ଯାତାୟାତ ସମ୍ପୂର୍ଣ୍ଣ ଠପ୍…
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥରେ ଆଜି ସକାଳେ ଏକ ବଡ଼ ବିପତ୍ତି ଦେଖିବାକୁ ମିଳିଛି। ରାୟଗଡ଼ରୁ ମୋହନା ସଂଯୋଗ କରୁଥିବା ଏହି ମୁଖ୍ୟ ଜାତୀୟ ରାଜପଥର ରାଜପୁର ନଦୀ ପୋଲ ନିକଟରେ ରାସ୍ତା ମଝି ଭାଗଟି ହଠାତ୍ ଧସିଯାଇଛି। ଫଳରେ ଏହି ବୃହତ ଗର୍ତ୍ତ ଯୋଗୁଁ ରାୟଗଡ଼-ମୋହନା ମଧ୍ୟରେ ଯାତାୟତ ଓ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ସାମୁଦ୍ରିକ ବାତ୍ୟା ଓ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳର ପ୍ରଖର ସ୍ରୋତ ଯୋଗୁଁ ଆଜି ସକାଳେ ଜାତୀୟ ରାଜପଥର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶଟି ଭିତରକୁ ଧସିଯିବା ସହ ଏକ ଗଭୀର ଫାଟ ସୃଷ୍ଟି ହୋଇଛି। ଏହି ପଥ ଦେଇ ଦୈନିକ ଶତାଧିକ ଭାରୀ ଯାନବାହାନ ଓ ଜନସାଧାରଣ ଯାତାୟତ କରୁଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହି ରୁଟ୍କୁ ବନ୍ଦ କରାଯାଇଛି।
ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ବିପଦ ଜ୍ଜନକ ସ୍ଥାନ ଚାରିପାଖରେ କମଳା ରଙ୍ଗର ସୁରକ୍ଷା ଫିତା ଏବଂ ଗଛର ପତ୍ର ରଖି ବାରିକେଡ୍ କରିଛନ୍ତି। ଯେପରି କୌଣସି ଯାତ୍ରୀ କିମ୍ବା ବାଇକ୍ ଚାଳକ ଅସାବଧାନତା ବଶତଃ ଏହି ଗର୍ତ୍ତରେ ନ ପଡ଼ନ୍ତି, ସେଥିପାଇଁ ପୋଲିସ କର୍ମଚାରୀମାନେ ସେଠାରେ ସଜାଗ ରହି ଲୋକଙ୍କୁ ସତର୍କ କରାଉଛନ୍ତି। ଏହି ମୁଖ୍ୟ ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି ଏବଂ ଆଞ୍ଚଳିକ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ମାର୍ଗର ସଂସ୍କାର ଏବଂ ସାମୟିକ ମରାମତି କାର୍ଯ୍ୟ ଶେଷ କରି ରାୟଗଡ଼ ଓ ମୋହନା ମଧ୍ୟରେ ଯାତାୟତ ସ୍ୱାଭାବିକ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
