‘ *ଆମ କଳାକାର’: ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ଦଳ ଚୟନ ପ୍ରକ୍ରିୟା ଉଦ୍ଘାଟିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୦୩/୧୧:
ରାଜ୍ୟର କଳା, ସଂସ୍କୃତି ଓ ପାରମ୍ପରିକ ଲୋକକଳାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ସହ କଳାକାରମାନଙ୍କୁ ଉପଯୁକ୍ତ ମଞ୍ଚ ଓ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ‘ଆମ କଳାକାର’ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟା ଆଜି ସ୍ଥାନୀୟ ରେଳ ଫାଟକ ନିକଟସ୍ଥ କଲ୍ୟାଣ ମଣ୍ଡପଠାରେ ଉଦ୍ଘାଟିତ ହୋଇଯାଇଛିl
ଜିଲ୍ଲାପାଳ ଅନ୍ୟା ଦାସ ଦୀପ ପ୍ରଜ୍ଜ୍ୱଳନ କରି ଏହି ଚୟନ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚୟନ ପ୍ରକ୍ରିୟାର ପ୍ରଥମ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୬ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ।
ସାଂସ୍କୃତିକ ଦଳଗୁଡ଼ିକ ପାରମ୍ପରିକ ଲୋକନୃତ୍ୟ, ଲୋକସଙ୍ଗୀତ ଓ ବିଭିନ୍ନ ଲୋକକଳା ପରିବେଷଣ କରି ନିଜ ନିଜର କଳାତ୍ମକ ପ୍ରତିଭା ଓ ପରିବେଷଣ ଦକ୍ଷତା ପ୍ରଦର୍ଶନ କରିଥିଲେ।
ବିଚାରକମଣ୍ଡଳୀ ଭାବେ ଅର୍ଜୁନ ଛତ୍ରିଆ, ନନ୍ଦଲାଲ ବାରିକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ ଦଳଗୁଡ଼ିକର ପରିବେଷଣ ଓ ଦକ୍ଷତାର ମୂଲ୍ୟାୟନ କରିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା କାର୍ଯ୍ୟକ୍ରମ ଆୟୋଜନରେ ସଂଯୋଜନା କରିଥିବା ବେଳେ ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।
