ଗୁମ୍ମା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଞ୍ଚ ବିକ୍ରିକୁ ନେଇ ବିବାଦ
ପରିଚାଳନା କମିଟିକୁ ଅନ୍ଧାରରେ ରଖି ବିଦ୍ୟାଳୟର ଡେସ୍କ-ବେଞ୍ଚ ବିକ୍ରି ଅଭିଯୋଗ, ତଦନ୍ତ ଦାବି।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ସ୍ଥିତ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟର ଡେସ୍କ ଓ ବେଞ୍ଚ ବିକ୍ରିକୁ ନେଇ ଏବେ ଦେଖାଦେଇଛି ବିବାଦ। ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟସଭ୍ୟାମାନଙ୍କୁ କୌଣସି ସୂଚନା ନଦେଇ ଏବଂ ସେମାନଙ୍କ ଅଜାଣତରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବହୁ ପରିମାଣର ଡେସ୍କ ଓ ବେଞ୍ଚ ବିକ୍ରି କରିଦେଇଥିବା ନେଇ କମିଟି ସଭ୍ୟସଭ୍ୟାମାନେ ଗୁରୁତର ଅଭିଯୋଗ ଆଣିଛନ୍ତି।
କମିଟି ସଭ୍ୟସଭ୍ୟାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଏକ ମ୍ୟାକ୍ସ ପିକ୍ଅପ୍ ଭ୍ୟାନ୍, ଯାହାର ନମ୍ବର TS08UM 1544, ଯୋଗେ ବିଦ୍ୟାଳୟରୁ ବହୁ ସଂଖ୍ୟକ ଡେସ୍କ ଓ ବେଞ୍ଚ ଦୁଇଥରରେ ବୋଝେଇ କରି ନିଆଯାଇଥିଲା। ଏହି ଘଟଣାକୁ ନେଇ ବିଦ୍ୟାଳୟର ପରିଚାଳନା କମିଟି ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସାଧାରଣତଃ ବିଦ୍ୟାଳୟର କୌଣସି ସରକାରୀ ସମ୍ପତ୍ତି ଅଚଳ କିମ୍ବା ବ୍ୟବହାର ଅନୁପଯୋଗୀ ହୋଇଗଲେ, ତାହାର ସ୍ଥିତି ଯାଞ୍ଚ, ଆବଶ୍ୟକୀୟ ରେକର୍ଡ ପ୍ରସ୍ତୁତି ଏବଂ ପ୍ରଚଳିତ ସରକାରୀ ନିୟମ ଅନୁଯାୟୀ ନିଲାମ ବା ବିକ୍ରି ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ। ଏଥିରେ ସମ୍ପୃକ୍ତ କମିଟି ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଭୂମିକା ରହିଥାଏ। କିନ୍ତୁ ଏହି କ୍ଷେତ୍ରରେ କେଉଁ ପ୍ରକ୍ରିୟା ଅନୁସରଣ କରାଗଲା, କାହା ଅନୁମତିରେ ଏବଂ କେଉଁ ଆଧାରରେ ଡେସ୍କ ଓ ବେଞ୍ଚଗୁଡ଼ିକ ବିକ୍ରି କରାଗଲା, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ବିକ୍ରି ହୋଇଥିବା ଡେସ୍କ ଓ ବେଞ୍ଚଗୁଡ଼ିକ ଏକ ଘରୋଇ ବିଦ୍ୟାଳୟ କିଣିଥିବା ଜଣାପଡ଼ିଛି। ଯଦି ଏହି ଡେସ୍କ ଓ ବେଞ୍ଚଗୁଡ଼ିକ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ଥିଲା, ତେବେ ଏକ ଘରୋଇ ବିଦ୍ୟାଳୟ ଏହାକୁ କେଉଁ ଉଦ୍ଦେଶ୍ୟରେ କିଣିଲା? ଯଦି ସେଗୁଡ଼ିକ ବ୍ୟବହାର ଯୋଗ୍ୟ ଥିଲା, ତେବେ ସରକାରୀ ବିଦ୍ୟାଳୟରୁ ସେଗୁଡ଼ିକୁ ବିକ୍ରି କରିବାର ଆବଶ୍ୟକତା କ’ଣ ଥିଲା? ଏହି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଘଟଣାକୁ ନେଇ ପରିଚାଳନା କମିଟି ସଭ୍ୟସଭ୍ୟାମାନେ ପ୍ରଧାନ ଶିକ୍ଷକ ଆମ୍ପୋଲୁ ରବିକୁମାରଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନ ଶିକ୍ଷକ ନିଜ ଇଚ୍ଛା ଅନୁସାରେ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଏବଂ ପରିଚାଳନା କମିଟିକୁ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ।
ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ଆମ୍ପୋଲୁ ରବିକୁମାରଙ୍କ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବାରୁ ତାଙ୍କର ମତାମତ ମିଳିପାରିନାହିଁ। ସେହିପରି ସମ୍ପୃକ୍ତ ସିଆରସିସି କ୍ଷମା ସାଗର ପାଳଙ୍କୁ ଏ ବିଷୟରେ ପଚାରିବାରୁ ସେ ମଧ୍ୟ ଘଟଣା ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି।
ତେବେ ବିଦ୍ୟାଳୟର ସମ୍ପତ୍ତି ବିକ୍ରି ପାଇଁ କିଏ ଅନୁମତି ଦେଇଥିଲେ? ବିକ୍ରି ପୂର୍ବରୁ କୌଣସି ବୈଠକ ହୋଇଥିଲା କି? ବିକ୍ରିର ଅର୍ଥ କେତେ ଏବଂ ତାହା କେଉଁ ଆକାଉଣ୍ଟରେ ଜମା ହୋଇଛି? ବିକ୍ରି ସମ୍ପର୍କିତ କୌଣସି ନିଲାମ ପ୍ରକ୍ରିୟା, ରସିଦ କିମ୍ବା ଅଫିସିଆଲ୍ ରେକର୍ଡ ରହିଛି କି? ଏବଂ ବ୍ୟବହାର ଯୋଗ୍ୟ ଡେସ୍କ-ବେଞ୍ଚଗୁଡ଼ିକୁ ବିଦ୍ୟାଳୟରୁ ବାହାର କରିବାର ଉଦ୍ଦେଶ୍ୟ କ’ଣ ଥିଲା?
ଏସବୁ ପ୍ରଶ୍ନର ଉତ୍ତର ଏବେ ଅପେକ୍ଷାରେ। ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାର ନିରପେକ୍ଷ ତଦନ୍ତ କରି ବିଦ୍ୟାଳୟର ସମ୍ପତ୍ତି ବିକ୍ରିର ସମସ୍ତ ରେକର୍ଡ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଓ ପରିଚାଳନା କମିଟି ପକ୍ଷରୁ ଦାବି ହେଉଛି। ସରକାରୀ ବିଦ୍ୟାଳୟର ସମ୍ପତ୍ତିର ସୁରକ୍ଷା ଓ ସ୍ୱଚ୍ଛତା ରକ୍ଷା କରିବା ଦାୟିତ୍ୱ କାହାର, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।
