ବରାହା ଶିକାର ଘଟଣାରେ ବନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ, ତିନି ଗିରଫ ଓ କୋର୍ଟ ଚାଲାଣ
ସିନାପାଲି,୪/୧୧(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର)ଜଙ୍ଗଲୀ ଜନ୍ତୁ ଶିକାର ଉପରେ ରୋକ ଲଗାଇବାକୁ ବନ ବିଭାଗର ତତ୍ପରତା ମଧ୍ୟରେ ନୂଆପଡା ଜିଲ୍ଲା ସିନାପାଲି ବନାଞ୍ଚଳରେ ବରାହା ଶିକାର ଘଟଣା ସାମ୍ନାକୁ ଆସିଛି। ଫାଶ ବସାଇ ବରାହା ଶିକାର କରିବା ସହ ଏହାର ମାଂସ ରଖିବା ଓ ଭକ୍ଷଣ କରିବା ଅଭିଯୋଗରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ସିନାପାଲି ବନାଞ୍ଚଳ ଅଧୀନ ଘାଟମାଲ ସେକ୍ସନର ଘାଟମାଲ ଗ୍ରାମର ଖଗେଶ୍ୱର ମାଝୀ (୨୮) ଗତ ଅକ୍ଟୋବର ୩୧ ତାରିଖରେ ନିଜ ମକା ଚାଷ ଜମିରେ ଫାଶ ବସାଇଥିଲେ। ପରଦିନ ସକାଳେ ଫାଶରେ ଏକ ବରାହା ପଡ଼ି ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ବରାହାକୁ କାଟି ନେଇଯାଉଥିବା ଅଭିଯୋଗ ହୋଇଥିଲା।
ଅନ୍ୟପକ୍ଷରେ ଘାଟମାଲ ସେକ୍ସନର ଫରେଷ୍ଟର ମେଘନାଦ ମାଝୀ ଓ ଫରେଷ୍ଟ ଗାର୍ଡ ଅଜୟ ବନ୍ଦୀଛୋର ବୈଜଳପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଚଟିଆଗୁଡ଼ା ଗ୍ରାମର ହେରାମ୍ବ ମାଝୀ (୨୪) ଓ ଡିଙ୍ଗର ମାଝୀ (୪୪)ଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ସେମାନଙ୍କ ନିକଟରୁ ବରାହାର ବାମ ଗୋଡ଼ ଜବତ ହୋଇଥିଲା। ଏହାର ଓଜନ ପ୍ରାୟ ୭ କିଲୋଗ୍ରାମ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ଖଗେଶ୍ୱର, ହେରାମ୍ବ ଓ ଡିଙ୍ଗରଙ୍କୁ ଗିରଫ କରାଯାଇ ସିନାପାଲି ରେଞ୍ଜର OR Case No. 191/S, 2026-27 ଅନୁଯାୟୀ ମାମଲା ରୁଜୁ ହୋଇଛି। ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ହୋଇଛି।
ନଭେମ୍ବର ୩ ତାରିଖରେ ତିନି ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଅବୈଧ ଶିକାର ରୋକିବା ପାଇଁ ବନ ବିଭାଗର ପେଟ୍ରୋଲିଂ ଓ ନିରୀକ୍ଷଣ ଜାରି ରହିଛି ।
