ବରପାଲି ଅଇଁଠାପାଲି ମର୍ଡର ବାପା ପୁଅ ଗିରଫ ବରଗଡ :୦୧/୦୬(ନି ପ୍ର) ପାରିବାରିକ କଳହକୁ ନେଇ ପଡ଼ୋଶୀଙ୍କୁ ଫାଉଡ଼ା ବେଣ୍ଟରେ ପିଟି ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ ବାପା ଓ ପୁଅ । ଗତକାଲି ରାତିରେ ଏହି ଘଟଣା ଘଟିଛି ବରପାଲି ଥାନା ଅଇଁଠାପାଲି ଗାଁରେ । ମୃତକ ହେଲେ ଅଇଁଠାପାଲି ଗାଁର ସୁବଳ ପଧାନ । ପୂର୍ବ ଶତ୍ରୁତାକୁ ନେଇ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ନେଇ ସୁବଲଙ୍କ ପତ୍ନୀ ବରପାଲି ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ ଅଇଁଠାପାଲି ଗାଁର ଅଭିଯୁକ୍ତ ଖିତିପତି ବେହେରା ଓ ତାଙ୍କ ପୁଅ ଲିପନ ବେହେରାଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ଫାଉଡା ବେଣ୍ଟକୁ ଜବତ କରି ସେମାନଙ୍କୁ କୋର୍ଟ ଚାଳାଣ କରିଛି । ହତ୍ୟା ଘଟଣା ନେଇ ବରଗଡ଼ ଏସପି ରବିନ୍ଦ୍ର ନାଥ ଶତପଥୀ ଗଣମାଧ୍ୟମକୁ କହିଛନ୍ତି ଯେ, ଅଇଁଠାପାଲି ଗାଁର ସୁବଲ ପଧାନ ଓ ଖିତିପତି ବେହେରା ଉଭୟ ପଡ଼ୋଶୀଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ସମସ୍ୟାକୁ ନେଇ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତିିରେ ସୁବଲ ପଧାନଙ୍କ ସହିତ ଅଭିଯୁକ୍ତ ଲିପନ ବେହେରା ଓ ତାଙ୍କ ବାପା ଖିତିପତି ବେହେରାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଲିପନ ଓ ତାଙ୍କ ବାପା ଖିତିପତି ବେହେରା ପଡ଼ୋଶୀ ସୁବଲ ପଧାନଙ୍କୁ ଫାଉଡ଼ା ବେଣ୍ଟରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସୁବଲଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ସୁବଲଙ୍କୁ ମୃତ ଘୋଷଣା କରିଥିଲେ । ବରପାଲି ଥାନା ପୋଲିସ ଖବର ପାଇ ତୁରନ୍ତ ଅଇଁଠାପାଲି ଗାଁକୁ ଯାଇ ଅନୁସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ଦ୍ବାରା ତଦନ୍ତ କରି ଅଭିଯୁକ୍ତ ବାପା ଓ ପୁଅକୁ ଗିରଫ କରିବାରେ ସଫଳ ହୋଇଥିଲା ।
