ଚାଉଳ ହେରଫେର ଅଭିଯୋଗକୁ ଖଣ୍ଡନ କଲେ ନରୁଆ ସମବାୟ ସମିତି ସମ୍ପାଦକ,
ଯାଜପୁର/ (ଭଞ୍ଜଦୂତ:ସରୋଜ କୁମାର ଧଳ: ଜିଲ୍ଲା ପ୍ରତିନିଧି )
ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ନରୁଆ ବହୁମୁଖୀ ସମବାୟ ସମିତିକୁ କେନ୍ଦ୍ର କରି ସମ୍ପ୍ରତି ଉଠିଥିବା ଚାଉଳ ହେରଫେର ଅଭିଯୋଗ ପ୍ରସଙ୍ଗରେ ସମିତିର ସମ୍ପାଦକ ଶ୍ରୀ ନାରାୟଣ ଜେନା ନିଜ ପକ୍ଷରୁ ବିସ୍ତୃତ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଣ୍ଟନ କରାଯାଇଥିବା ପିଡିଏସ୍ (PDS) ଚାଉଳ ସମ୍ପୂର୍ଣ୍ଣ ଭାବେ ସରକାରୀ ନିୟମାବଳୀ ଓ ନିର୍ଦ୍ଦେଶିକା ଅନୁସାରେ ଲୋକଙ୍କୁ ପ୍ରଦାନ କରାଯାଇଥିଲା।
ଶ୍ରୀ ଜେନାଙ୍କ କହିବା ଅନୁସାରେ, ସମିତିରେ ହୋଇଥିବା ସମସ୍ତ ଚାଉଳ ବଣ୍ଟନ, ମଜୁତ ପରିଚାଳନା ଏବଂ ହିସାବ-କିତାବ ସରକାରୀ ବ୍ୟବସ୍ଥା ଅନୁଯାୟୀ ସଠିକ୍ ଭାବେ ସମ୍ପନ୍ନ ହୋଇଛି। ଏହି ପରିସ୍ଥିତିରେ ଚାଉଳ ହେରଫେର ନେଇ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ତଥ୍ୟହୀନ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଚାଉଳ ବଣ୍ଟନ ସମ୍ପର୍କିତ କୌଣସି ଅର୍ଥ ଆସିଥିବା ନେଇ ଯେଉଁ ଅଭିଯୋଗ କରାଯାଉଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ସମିତିର ସମସ୍ତ ଆର୍ଥିକ କାରବାର ଓ ଦସ୍ତାବିଜ ନିୟମିତ ଭାବେ ସଂରକ୍ଷିତ ରହିଛି ଏବଂ ସମସ୍ତ ରେକର୍ଡ ସମ୍ପୃକ୍ତ ବିଭାଗ ପାଇଁ ଯାଞ୍ଚଯୋଗ୍ୟ ବୋଲି ସେ ସୂଚନା ଦେଇଛନ୍ତି।
ସମିତିର ଷ୍ଟକ୍ ରେଜିଷ୍ଟର, ବଣ୍ଟନ ତାଲିକା ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସୁରକ୍ଷିତ ଅବସ୍ଥାରେ ରହିଥିବା ଦର୍ଶାଇ ଶ୍ରୀ ଜେନା କହିଛନ୍ତି ଯେ, କୌଣସି ସନ୍ଦେହ ଥିଲେ ସମ୍ପୃକ୍ତ ବିଭାଗ ନିଷ୍ପକ୍ଷ ତଦନ୍ତ କରିପାରିବ। ତଦନ୍ତ ମାଧ୍ୟମରେ ପ୍ରକୃତ ସତ୍ୟ ଲୋକଙ୍କ ସମ୍ମୁଖକୁ ଆସିବ ଏବଂ ଅଭିଯୋଗର ବାସ୍ତବତା ସ୍ପଷ୍ଟ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
