ଚଳନ୍ତା ପାର୍ସଲ ଭ୍ୟାନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଚାଳକ
ସୋର/ସିମୁଳିଆ(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଡାଇଭର୍ସନ ନିକଟ ଜାତୀୟ ରାଜପଥ-୧୬ରେ ଏକ ପାର୍ସଲ ଭ୍ୟାନରେ ହଠାତ୍ ନିଆଁ ଲାଗିଯିବାରୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା କେହି ଆହତ ହୋଇନଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ୪୫ ମିନିଟ ସମୟରେ ଏକ ପାର୍ସଲ ଭ୍ୟାନ କାନପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ହଠାତ୍ ନିଆଁ ଲାଗିଥିବା ଦେଖାଯାଇଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ଏସ୍ ଆଇ ପ୍ରଦୀପ କୁମାର ବେହେରା ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସିମୁଳିଆ ଥାନା କୁ ଅବଗତ କରାଇଥିଲେ। ଖବର ପାଇ ସିମୁଳିଆ ଥାନାର ଏସ୍ଆଇ ଖିରୋଦ କୁମାର ସାହୁ ଓ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହିପରି ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ତୁରନ୍ତ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ।
ଅଗ୍ନିକାଣ୍ଡ ପରେ କିଛି ସମୟ ପାଇଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ଯାତାୟାତକୁ ସ୍ୱାଭାବିକ କରାଯାଇଥିଲା। ପରବର୍ତ୍ତୀ ତଦନ୍ତ ଓ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମାମଲା ସିମୁଳିଆ ପୁଲିସକୁ ହସ୍ତାନ୍ତର କରାଯାଇଛି।
