*ନୂଆପଡ଼ାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ଆରମ୍ଭ* *
ନୂଆପଡ଼ା( ମିଖାଏଲ ନନ୍ଦ)
, ତା. ୩୦/୦୫
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମ ସମ୍ପର୍କରେ ନୂଆପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ସମସ୍ତ ସାମ୍ବାଦିକଙ୍କୁ ସ୍ୱାଗତ କରି ଜିଲ୍ଲାପାଳ କହିଥିଲେ ଯେ, ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ତ୍ରୁଟିମୁକ୍ତ ଏବଂ ଅଦ୍ୟତନ କରିବା। ଏହା ମାଧ୍ୟମରେ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବା ସହ ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ନାମଭୁକ୍ତିଗୁଡ଼ିକୁ ଚିହ୍ନଟ କରି ସଂଶୋଧନ କରାଯିବ।ଆଜିଠାରୁ ଜୁନ୍ ୨୮, ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଘରକୁ ଘର ଯାଇ ମତଦାତାଙ୍କ ସୂଚନା ଯାଞ୍ଚ କରିବା ସହ ଗଣନା ଫର୍ମ ସଂଗ୍ରହ କରିବେ। ପ୍ରାପ୍ତ ତଥ୍ୟ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟର ସଫଳ ରୂପାୟନ ପାଇଁ ସମସ୍ତ ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ପୂର୍ବରୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାବେଳେ ଡେପୁଟି ଜିଲ୍ଲାପାଳ (ନିର୍ବାଚନ), ଉପଜିଲ୍ଲାପାଳ, ଏଇଆରଓ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ପ୍ରକ୍ରିୟାର ନିରନ୍ତର ତଦାରଖ କରିବେl ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ୭୧-ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୨,୪୯,୯୭୨ ଜଣ ମତଦାତା ଥିବାବେଳେ ସେଥିମଧ୍ୟରୁ ୨,୩୯,୦୪୮ ଜଣଙ୍କ ମ୍ୟାପିଂ ସମ୍ପନ୍ନ ହୋଇଛି, ଯାହା ୯୫.୬୩ ପ୍ରତିଶତ। ସେହିପରି ୭୨-ଖଡ଼ିଆଳ ବିଧାନସଭା କ୍ଷେତ୍ରରେ ମୋଟ ୨,୫୫,୩୦୪ ଜଣ ମତଦାତାଙ୍କ ମଧ୍ୟରୁ ୨,୪୩,୮୪୮ ଜଣଙ୍କ ମ୍ୟାପିଂ ସମ୍ପନ୍ନ ହୋଇଥିବାବେଳେ ଏହାର ହାର ୯୫.୫୧ ପ୍ରତିଶତ ରହିଛି।
ଏସ୍ଆଇଆର୍ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ସମ୍ପର୍କରେ ସୂଚନା ଦେଇ ଜ଼ିଲ୍ଲାପାଳ କହିଥିଲେ ଯେ, ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ ଏବଂ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ବିଏଲଓମାନେ ଘରକୁ ଯିବାବେଳେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ସହ ସଠିକ୍ ଓ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତୁ। ଜନସହଭାଗିତା ମାଧ୍ୟମରେ ହିଁ ଏକ ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରାଯାଇପାରିବ।
ସେ ଆହୁରି କହିଥିଲେ ଯେ, ଏସ୍ଆଇଆର୍କୁ ନେଇ ସୋସିଆଲ ମିଡିଆରେ ପ୍ରଚାରିତ କୌଣସି ଭ୍ରମାତ୍ମକ ସୂଚନା କିମ୍ବା ଗୁଜବକୁ ବିଶ୍ୱାସ ନ କରି ନାଗରିକମାନେ କେବଳ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନର ଅଧିକୃତ ସୂଚନା ଉପରେ ନିର୍ଭର କରନ୍ତୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଅପପ୍ରଚାର ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସ୍ପଷ୍ଟୀକରଣ ପ୍ରଦାନ କରାଯିବ।
ଭୋଟର ତାଲିକା ସମ୍ବନ୍ଧୀୟ ସହାୟତା ପାଇଁ ନାଗରିକମାନେ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୫୦ରେ ଯୋଗାଯୋଗ କରିପାରିବେ। ସେହିପରି Voter Helpline App ମାଧ୍ୟମରେ ମଧ୍ୟ ବିଭିନ୍ନ ସେବା ଉପଲବ୍ଧ ରହିଛି। ଗଣମାଧ୍ୟମ ପ୍ରତିନିଧିମାନେ ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପର୍କରେ ସଠିକ୍ ଓ ତଥ୍ୟଭିତ୍ତିକ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଡେପୁଟି ଜ଼ିଲ୍ଲାପାଳ ଶେଖ ନସୀମ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେl
