*ନୂଆପଡ଼ାରେ ଆୟୁଷ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକର ସମୀକ୍ଷା ବୈଠକ ହୋମିଓପାଥି ମେଡିକାଲ କଲେଜ ସ୍ଥାପନ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୩୦/୦୫ :
ନୂଆପଡ଼ା ଜିଲ୍ଲାର ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥିକ ଓ ଆୟୁର୍ବେଦିକ ଚିକିତ୍ସାଳୟଗୁଡ଼ିକର କାର୍ଯ୍ୟକଳାପ ଏବଂ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା ନିମନ୍ତେ ତୃତୀୟ ଜିଲ୍ଲାସ୍ତରୀୟ ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଡ଼ା. ଦୀନବନ୍ଧୁ ମୁଗ୍ରୀ, ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ ଡ଼ା. ଆଭାମୟୀ ନାୟକ ଓ ଜିଲ୍ଲାର ବିଭିନ୍ନ ଆୟୁଷ ଚିକିତ୍ସକମାନେ ଉପସ୍ଥିତ ଥିଲେ।
ବୈଠକରେ ନୂଆପଡ଼ା ଜିଲ୍ଲାରେ ନବ ସ୍ଥାପିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଉପଯୁକ୍ତ ସ୍ଥାନ ଚୟନ ଓ ଆବଶ୍ୟକ ସରକାରୀ ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାରୁ ଆୟୁଷ ନିର୍ଦ୍ଦେଶାଳୟ ଏବଂ ସମସ୍ତ ହୋମିଓପାଥି ଚିକିତ୍ସକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଯାଇଥିଲା। ନୂଆପଡ଼ା ଜିଲ୍ଲା ରାଜ୍ୟରେ ନବ ଅନୁମୋଦିତ ପାଞ୍ଚଟି ଆୟୁଷ ମେଡିକାଲ କଲେଜ ମଧ୍ୟରୁ ପ୍ରଥମ ଜିଲ୍ଲା ଭାବେ ଉପଯୁକ୍ତ ସ୍ଥାନ ଚୟନ କରି ଅଗ୍ରଣୀ ଭୂମିକା ନେଇଥିବା ସୂଚିତ କରାଯାଇଥିଲା।ସେହିପରି, ଜିଲ୍ଲାର ପାଞ୍ଚଟି ସରକାରୀ ହୋମିଓପାଥିକ ଚିକିତ୍ସାଳୟକୁ ପ୍ରଥମ ଥର ପାଇଁ ଓଆରଏସ୍ ଯୋଗାଣ କରାଯାଇଥିବାରୁ ଜିଲ୍ଲାପାଳ ଓ ସିଡିଏମ୍ ଏବଂ ପିଏଚ୍ଓଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଖଇରା ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ନେଇ ମଧ୍ୟ ଅବଗତ କରାଯାଇଥିଲା।ବୈଠକରେ ଗନ୍ଧବାହାଲି, କୁଲିଆବନ୍ଧା ଓ ଖଇରା ସରକାରୀ ହୋମିଓପାଥିକ ଚିକିତ୍ସାଳୟର ଜମି ସ୍ୱାସ୍ଥ୍ୟ ବିଭାଗ ନାମରେ ରେକର୍ଡଭୁକ୍ତ କରିବା, ନୂତନ ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପାଇଁ ସରକାରୀ ଜମି ଚିହ୍ନଟ, ଅସ୍ଥାୟୀ କାର୍ଯ୍ୟାଳୟର ମରାମତି ଓ ନବୀକରଣ, କୁଲିଆବନ୍ଧା ଓ ସିଆଲାଟି ଚିକିତ୍ସାଳୟରେ ଜଳଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା।ଗନ୍ଧବାହାଲି ହୋମିଓପାଥିକ ଚିକିତ୍ସାଳୟର ନୂତନ ଭବନ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସିଆଲାଟି ଚିକିତ୍ସାଳୟର ପାଚେରୀ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଆସନ୍ତା ଜୁନ୍ ୨୧ ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସକୁ ଜିଲ୍ଲାର ସମସ୍ତ ଆୟୁଷ ହେଲର୍ଥ ଆଣ୍ଡ ୱେଲନେସ୍ ସେଣ୍ଟରରେ ବ୍ୟାପକ ଭାବେ ପାଳନ କରିବା ଏବଂ ‘ଟିବି ମୁକ୍ତ ଭାରତ ଅଭିଯାନ’ ଅଧୀନରେ ୧୦୦ ଦିନିଆ ସ୍ୱତନ୍ତ୍ର ସର୍ଭେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଏହା ସହିତ ଆୟୁଷ ଚିକିତ୍ସକମାନଙ୍କ ପାଇଁ ଆରଏନ୍ଟିସିପି ମାଧ୍ୟମରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଆୟୋଜନ ପ୍ରସ୍ତାବ ରଖାଯାଇଥିଲା।ଜିଲ୍ଲାର ଦୁର୍ଗମ ଅଞ୍ଚଳ ସୁନାବେଡ଼ା, ଘାଟମାଳ, ସମତପଦର ଓ ବିକ୍ରମପୁର ଆଦି ଅଞ୍ଚଳରେ ହୋମିଓପାଥି ସ୍ୱାସ୍ଥ୍ୟ ଶିବିର ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଅନୁମୋଦନ ଅନୁରୋଧ କରାଯାଇଥିଲା। ଏଥିସହ ଗନ୍ଧବାହାଲି ଓ ଖଇରା ଚିକିତ୍ସାଳୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧବ୍ୟକ୍ତିଙ୍କ ପାଇଁ ‘ଦ୍ୱାରମୁହଁରେ ହୋମିଓପାଥି ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଥିଲା।ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଉକ୍ତ ସମସ୍ତ କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ସେ ପରିବେଶ ସୁରକ୍ଷା ପାଇଁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।
