ବିଏସଏନ୍ଏଲ ଅଫିସରୁ ଚୋରି
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ଥାନା ପିତାକାଳିଆ ନିକଟରେ ଥିବା ବିଏସଏନଏଲ ଏକ୍ସଚେଞ୍ଜରୁ ଚୋର ସନ୍ଦେହରେ ଦୁଇ ଜଣଙ୍କୁ ସୋର ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି। ସୂଚନା ଅନୁସାରେ ଏହି ସ୍ଥାନରେ ଥିବା ବିଏସଏନଏଲ ଏକ୍ସଚେଞ୍ଜ ଦାୟିତ୍ୱରେ ଥିବା କର୍ମଚାରୀ ରାମଚନ୍ଦ୍ର ଶିଅଳ ଆଜି ମଧ୍ୟାହ୍ନରେ ଖାଇବାକୁ ଯାଇଥିଲେ। କିନ୍ତୁ ଖାଇସାରି ଫେରିବା ପରେ ଘର କାଚ ଭଙ୍ଗାରୁଜା ହେବା ସହିତ ଘର ମଧ୍ୟରେ କେହି କଥା ହେଉଥିବାର ଜାଣିପାରି ସଟର ପକାଇ ଉପରିସ୍ଥ ଅଧିକାରୀଙ୍କୁ ଏ ବାବଦରେ ସୂଚନା ଦେଇଥିଲେ।ଫଳରେ ସୋରରେ କାର୍ଯ୍ୟରତ ଏସଡିଓ ପ୍ରଦୀପ କୁମାର ଦାସ ସୋର ଥାନାକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଦୁଇ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ସୂଚନା ଯୋଗ୍ୟ ପୂର୍ବରୁ ଏହି ଏକ୍ସଚେଞ୍ଜରୁ ଡିଜି ବ୍ୟାଟେରୀ ଚୋରି ହେବା ସହିତ ଏହାର ମୁଖ୍ୟ ସଟର ଭାଙ୍ଗି ଚୋରି ଉଦ୍ୟମ ହୋଇଥିବା ବାବଦରେ ଏସଡିଓ ଶ୍ରୀ ଦାସ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
