ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ :୧୦ ବାଲିଗାଡି ଅଟକ
ସୋର,୨/୫(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଟି ବାଲିଗାଡି ଅଟକ ରଖାଯିବା ସହିତ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ତହସିଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରିଥିଲେ। ଏହି ସମୟରେ ତଳନଗର ନିକଟରୁ ଗୋଟିଏ,ବରଫ କଳ ଛକ ନିକଟରୁ ୨ଟି ଓ ଦହିସଡା ନିକଟରୁ ୭ଟି ବାଲିଗାଡିକୁ ଅଟକ ରଖି ଖଣି ବିଭାଗକୁ ହସ୍ତାନ୍ତର କରିଥିଲେ। ଚଢ଼ାଉ ହେଉଥିବା ଖବର ପାଇ ଅନେକ ଗାଡି ରାସ୍ତା ବଦଳାଇ ଫେରାର ହୋଇଯାଇଥିଲେ। ଅଟକ ଗାଡ଼ିଗୁଡିକର କାଗଜପତ୍ର ଯାଞ୍ଚ ପରେ ବେଆଇନ ବାଲି ବୋଝେଇ କରିଥିବା ଗାଡି ଗୁଡିକରୁ ଫାଇନ ଆଦାୟ କରାଯାଇ ଛଡ଼ାଯିବ ବୋଲି ଜଣାପଡିଛି। ତହସିଲ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ବାଲି ଓ ପଥର ଗାଡି ଜବତ କରାଯାଉଥିବା ବେଳେ ଖଣି ବିଭାଗ ପକ୍ଷରୁ କାଁ ଭାଁ ଚଢ଼ାଉ କରାଯାଉଥିବାରୁ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
