ଚାକିରି ଦେବା ନାଁରେ ବଡ଼ ଠକେଇ
ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ କେନ୍ଦ୍ର କରି ଲକ୍ଷାଧିକ ଟଙ୍କା ଠକା—ଆକାଉଣ୍ଟ ମ୍ୟାନେଜର ଗିରଫ
ଦେବଗଡ଼ : ଦେବଗଡ଼ରେ ଚାକିରି ଦେବା ନାଁରେ ଏକ ଚର୍ଚ୍ଚିତ ଠକେଇ ଘଟଣା ପ୍ରକାଶ ପାଇଛି। ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି କରାଇବା ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗରେ ଦେବଗଡ଼ ପୋଲିସ ଆକାଉଣ୍ଟ ମ୍ୟାନେଜର ପରମେଶ୍ୱର ନାଏକଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁସାରେ, ପରମେଶ୍ୱର ନାଏକ ୧୨ ଜଣ ଚାକିରି ଆଶାୟୀଙ୍କଠାରୁ ମୋଟ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିଲେ। ଆଟେଣ୍ଡାଣ୍ଟ, ଝାଡୁଦାର, ସୁପରଭାଇଜର ଭଳି ପଦବୀରେ ନିଯୁକ୍ତି ଦେବା ପାଇଁ ସେ ଟଙ୍କା ନେଇଥିବା ଜଣାପଡ଼ିଛି।
ଏହି ଘଟଣା କେବଳ ଜଣେ ବ୍ୟକ୍ତି ପର୍ଯ୍ୟନ୍ତ ସୀମିତ ନୁହେଁ ବୋଲି ସନ୍ଦେହ ଜଣାପଡ଼ୁଛି। କେତେକ ଯୁବତୀ-ଯୁବକ ନିଜ ନାମ ଗୋପନ ରଖି କହିଛନ୍ତି ଯେ, କେତେକ ଅଧିକାରୀ, ବରିଷ୍ଠ ଡାକ୍ତର ଓ ଦଲାଲଙ୍କୁ ମଧ୍ୟ ଟଙ୍କା ଦେଇଥିଲେ। ଏହାର ଏକ ବଡ଼ ଠକେଇ ରାକେଟ୍ ଚାଲୁଥିବା ସନ୍ଦେହ ସୃଷ୍ଟି ହୋଇଛି।
ଦେବଗଡ଼ ଜିଲା ଚାଷୀ ବହୁଳ ଓ ଶିଳ୍ପ ବିହୀନ ହେବାରୁ ଏଠାରେ ବେକାର ଯୁବତୀ-ଯୁବକଙ୍କ ସଂଖ୍ୟା ବଢ଼ୁଛି। ଏହି ପରିସ୍ଥିତିକୁ ସୁଯୋଗ କରି କେତେକ ଅସାଧୁ ତତ୍ତ୍ୱ ଚାକିରି ଦେବା ନାଁରେ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହେଉଛି। ପୀଡିତମାନେ ଚିନ୍ତାରେ
ଚାକିରି ନ ପାଇବା ସହ ଟଙ୍କା ହାରାଇଥିବା ଯୁବତୀ-ଯୁବକମାନେ ଏବେ ଭାରୀ ମାନସିକ ଚାପରେ ରହିଛନ୍ତି। ଟଙ୍କା କେମିତି ଫେରି ପାଇବେ, ସେଥିପାଇଁ ସେମାନେ ଆଇନୀ ସହାୟତା ନେବାକୁ ଚିନ୍ତା କରୁଛନ୍ତି। ପୋଲିସ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେଥିପାଇଁ ତଦନ୍ତ ଜାରି ରଖିଛି। ଆଗାମୀ ଦିନରେ ଆଉ କିଛି ଗିରଫ ହେବା ସମ୍ଭାବନା ରହିଛି।
