ଯୌତୁକ ପାଇଁ
ବୋହୂଙ୍କ ଦେହରେ ଶଶୁର ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଅଭିଯୋଗ
(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
କଳାହାଣ୍ଡି ଜିଲ୍ଲାରେ ପୁଣି ଯୌତୁକ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ। ଯୌତୁକ ଦାବିକୁ କେନ୍ଦ୍ର କରି ବୋହୂଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ଆସିଛି। ଏହି ଘଟଣାରେ ଗୁରୁତର ହୋଇଥିବା ମହିଳାଙ୍କୁ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନା ଏବଂ ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଏନେଇ ମହିଳାଙ୍କ ବାପା ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତମୁଣ୍ଡା ଗ୍ରାମର। ଅଭିଯୋଗ ଅନୁସାରେ, ଗ୍ରାମର ପବିତ୍ର ଲହଜଲଙ୍କ ପୁଅ ଲକ୍ଷ୍ମଣ ୨୦୨୧ ମସିହାରେ ଡହଗାଁ ଗ୍ରାମର ଶଙ୍କର ପ୍ରସାଦ ନାଏକଙ୍କ ଝିଅ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ।
ବିବାହର କିଛି ବର୍ଷ ପରେ ଯୌତୁକ ଆଣିନଥିବା ଅଭିଯୋଗରେ ଗୀତାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ତାଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି।
ଏହା ପୂର୍ବରୁ ମଧ୍ୟ ଗୀତାଞ୍ଜଳିଙ୍କ ଦେହରେ ଗରମ ପାଣି ଢାଳି ଦିଆଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ଗ୍ରାମରେ ପଞ୍ଚଭଦ୍ରଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା। ବୈଠକରେ ଶଶୁର କ୍ଷମା ମାଗିବା ପରେ ଘଟଣାର ସମାଧାନ ହୋଇଥିବା କୁହାଯାଉଛି।
କିନ୍ତୁ ଏହା ପରେ ମଧ୍ୟ ନିର୍ଯାତନା ଥମିନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଳିଗୁଲଜ ପରେ ଗୀତାଞ୍ଜଳିଙ୍କ ଦେହରେ ତାଙ୍କ ଶଶୁର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ନିଆଁରେ ଜଳୁଥିବା ଗୀତାଞ୍ଜଳିଙ୍କୁ ତାଙ୍କ ଦୁଇ ନଣନ୍ଦ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପଟେ, ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ କେଉଁ କେଉଁ ପ୍ରମାଣ ସଂଗ୍ରହ କରାଯାଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଏପଟେ ଝିଅକୁ ଯୌତୁକ ନିର୍ଯାତନା ଦେବା ସହ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଗୀତାଞ୍ଜଳିଙ୍କ ବାପା ଶଙ୍କର ପ୍ରସାଦ ନାଏକ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ଯୌତୁକ ଭଳି ଏକ ସାମାଜିକ କୁପ୍ରଥାକୁ କେନ୍ଦ୍ର କରି ଜଣେ ମହିଳା ଗୁରୁତର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳାଙ୍କ ବାପଘର ପକ୍ଷରୁ ଆସିଥିବା ଅଭିଯୋଗର ସତ୍ୟାସତ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ସମସ୍ତଙ୍କ ନଜର ଗୁରୁତର ମହିଳାଙ୍କ ଚିକିତ୍ସା ଓ ତଦନ୍ତର ପରବର୍ତ୍ତୀ ପଦକ୍ଷେପ ଉପର
