ସମ୍ୱନିତ ଶିଶୁ ବିକାଶ କାର୍ଯ୍ୟାଳୟର ୮ ମ ପୋଷଣ ପକ୍ଷ ପାଳନ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ସମ୍ୱନିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ୮ ମ ପୋଷଣ ପକ୍ଷ ପାଳନ କରାଯାଇଛି। ଏହି ଉପଲକ୍ଷେ ସିଡିପିଓ ଶ୍ରୀମତୀ ତୃପ୍ତିଲତା ମହାନ୍ତିଙ୍କ ପୌରହିତ୍ୟରେ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଡିଓ ବିରଞ୍ଚି ନାରାୟଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁର ଯତ୍ନ ନେଇ ମାତାପିତାଙ୍କ ଗୁରୁଦାୟିତ୍ବ ରହିଥିବା ଏବଂ ତୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କର୍ମୀମାନେ ଏଥିପ୍ରତି ସଚେତନ କରିବାର ଆବଶ୍ୟକତା ରହିଛି । ଏପ୍ରିଲ ୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚାଲିଥିବା ପୋଷଣ ପକ୍ଷ ପାଳନର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ପର୍କରେ ସିଡିପିଓ ଶ୍ରୀମତୀ ମହାନ୍ତି ବକ୍ତବ୍ୟ ରଖିଥିଲେ। ଏଥିପାଇଁ ୫ ଟି ବିଷୟକୁ ଅନୁଶୀଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଶିଶୁ ଜନ୍ମ ହେବାର ୩ ବର୍ଷ ମଧ୍ୟରେ ମା ଓ ଶିଶୁର ସଠିକ୍ ପୋଷଣ,୬ ବର୍ଷ ମଧ୍ୟରେ ଶିଶୁର ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ,ଶିଶୁଙ୍କୁ ଖେଳନା ଆଧାରିତ ଶିକ୍ଷା ପ୍ରଦାନ ଏବଂ ମୋବାଇଲକୁ ବାଦ ଦେଇ ଶିଶୁଙ୍କୁ ଅନ୍ୟ ସମୟରେ ହସ ଖେଳରେ ସମୟ ଅତିବାହିତ କରିବା ସମ୍ପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ଅଙ୍ଗନୱାଡ଼ି କେନ୍ଦ୍ରର ସଶକ୍ତିକରଣ ନିମନ୍ତେ ସାମୁହିକ ସମର୍ଥନର ଯଥେଷ୍ଟ ଆବଶ୍ୟକତା ରହିଛି ଏବଂ ସାଧାରଣଜନତା ଏଥିପାଇଁ ଆଗେଇ ଆସିବା ଜରୁରୀ ବୋଲି ସିଡିପିଓ ଶ୍ରୀମତୀ ମହାନ୍ତି ପ୍ରକାଶ କରିଥିଲେ।ଏଥିରେ ଡ଼ା ପ୍ରଭାସ କୁମାର ସ୍ବାଇଁ,ଡବ୍ଲୁଇଓ ରାମେଶ୍ବର ସାହୁ, ମମତା ପ୍ରିୟଦର୍ଶିନୀ ମହାପାତ୍ର, ସୁପରଭାଇଜର ଲିପସା ପ୍ରିୟଦର୍ଶିନୀ ଓ ସୋନାଲି ପ୍ରିୟଦର୍ଶିନୀ ପ୍ରପୁଖ ପୋଷଣ ପକ୍ଷ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କିଛି ଅଙ୍ଗନୱାଡ଼ି କର୍ମୀ ଏ ବିଷୟରେ ନିଜର ଅନୁଭୂତି ବି ରଖିଥିଲେ। ଶେଷରେ ପୋଷଣ ପିଏ ସୁପ୍ରିୟା ମହାନ୍ତି ଧନ୍ୟବାଦ ଦେଇଥିଲେ।
