ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢୀ
ଭବାନୀପାଟଣା, ୨୯/୮ (କିଶନ ଶର୍ମା)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା କଳାହାଣ୍ଡିର ବିଶିଷ୍ଟ କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢୀ ଗଙ୍ଗାଧର ମେହେର ଜୟନ୍ତୀ-୨୦୨୬ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର, ବୁର୍ଲାର ଜନପ୍ରିୟ ସାହିତ୍ୟ ପତ୍ରିକା ସପ୍ତର୍ଷି ଦ୍ୱାରା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଜୟନ୍ତୀ ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଅଛି। ଏହି ଅବସରରେ କଳା, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡ଼ିଶାର ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ସଭାମୁଖ୍ୟ ଭାବେ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ମୁଖ୍ୟ ଅତିଥି ଭାବେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଖଗେନ୍ଦ୍ର ନାଥ ସେଠୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ଅଶୋକ କୁମାର ଦାଶ ଯୋଗଦାନ କରି ଶ୍ରୀ ପାଢୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କଳାହାଣ୍ଡିର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ସଂଯୋଜକ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀଙ୍କୁ ଏହି ଅବସରରେ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କଣ୍ଠଶିଳ୍ପୀ ଶ୍ରୀ ପାଢୀ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହେବା ସହ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିଚାଳିତ ନାରାୟଣ ସଦେଇ ସଂଗୀତ ମହାବିଦ୍ୟାଳୟର ଗୁରୁ ଦାୟିତ୍ୱରେ ରହିଛନ୍ତି। ସମ୍ପ୍ରତି ଅକ୍ଷୟ ମହାନ୍ତିଙ୍କ ସଂଗୀତ ସମୂହକୁ ସାମାଜିକ ଗଣମାଧ୍ୟମରେ କଣ୍ଠଦାନ କରି ସେ ବହୁ ଜନପ୍ରିୟତା ହାସଲ କରିଛନ୍ତି। ଶ୍ରୀଯୁକ୍ତ ପାଢୀଙ୍କୁ ମିଳିଥିବା ଏହି ସମ୍ବର୍ଦ୍ଧନା ପାଇଁ କଳାହାଣ୍ଡିର ସଂଗୀତ ଜଗତରେ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସମ୍ବର୍ଦ୍ଧନା ପାଇଁ ବିଶିଷ୍ଟ ସଂଗଠକ ଜୟନ୍ତ କୁମାର ବେହେରା, ଶିକ୍ଷାବିତ୍ ଅଜୟ ମିଶ୍ର, ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା, ସଂପାଦକ ସତ୍ୟନାରାୟଣ ସିଂହ, ଲୋକ ସଂସ୍କୃତି ଗବେଷକ ପରମେଶ୍ୱର ମୁଣ୍ଡ, ସଂଗଠକ ସୁଶାନ୍ତ ସିଂହ,ସଂଜୀବ ସିଂହ,ସଂଜୟ କୁମାର, ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଅଧ୍ୟାପକ ସୁଶାନ୍ତ ଦାଶ,ଶିକ୍ଷାବିତ୍ ସତ୍ୟଜିତ କର ପ୍ରମୁଖ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆୟୋଜନ କମିଟିକୁ କୃତଜ୍ଞତା ଜଣାଇଛନ୍ତି।
