*ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ହସ୍ତକ୍ଷେପ: ୪୫ ବର୍ଷିୟ ମୋହନଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଜନ୍ଦ୍ରାମୁଣ୍ଡା ଗ୍ରାମର ଜଣେ ଦିବ୍ୟାଙ୍ଗ ମୋହନ ମାଝୀ (୪୫ ବର୍ଷ) ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ନଥିବା ଏବଂ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ଦିବ୍ୟାଙ୍ଗ ପେନ୍ସନ୍ ନପାଇବାରୁ ସେ ବହୁତ କଷ୍ଟ ଓ ଅସୁବିଧାରେ ଜୀବନଯାପନ କରୁଥିଲେ । ମୋହନଙ୍କର ଦୁଇଜଣ ନାବାଳକ ସନ୍ତାନ ଅଛନ୍ତି, ଯାହାଙ୍କ ବୟସ ପ୍ରାୟ ୧୦ ବର୍ଷ ଓ ୧୨ ବର୍ଷ । ପତ୍ନୀ ମୋହନଙ୍କର ଏ ଭଳି ଅବସ୍ଥା ଯୋଗୁଁ କେତେ ବର୍ଷ ପୂର୍ବେ ଛାଡ଼ି ପଳାଇଥିବା ରୁ ନିଜର ଦୈନନ୍ଦିନ ଆବଶ୍ୟକତା ସହିତ ଦୁଇଜଣ ନାବାଳକ ସନ୍ତାନଙ୍କ ରକ୍ଷଣାବେକ୍ଷଣ କରିବାରେ ବହୁତ ଅସୁବିଧା ହେଉଥିଲା । ପୂର୍ବରୁ ବହୁବାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଯାଇ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ନବନୀତା ଦାଶ ଅଧିକାର ମିତ୍ର ସୁବଳ ରଣା ଙ୍କୁ ପଠାଇଥିଲେ । ସୁବଳ ମୋହନ ଓ ତାଙ୍କ ଦୁଇ ପୁଅଙ୍କୁ ଭେଟି ଆବଶ୍ୟକୀୟ ଦଲିଲପତ୍ର ସଂଗ୍ରହ ଓ ବ୍ୟବସ୍ଥା କରିବାରେ ସହାୟତା କରିଥିଲେ, ଡାକ୍ତରୀ ବୋର୍ଡ କୁ ତାଙ୍କୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଚିକିତ୍ସା ପରୀକ୍ଷା ଓ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ କରିବାରେ ସହାୟତା କରିଥିଲେ ଓ ତାଙ୍କର ଦୁଇଜଣ ନାବାଳକ ପୁଅଙ୍କୁ ଶିଶୁ କଲ୍ୟାଣ କମିଟି (CWC) ସମ୍ମୁଖ କୁ ନେଇ ବିଭିନ୍ନ ସରକାରୀ ଯୋଜନାରେ ତାଙ୍କୁ ଅନ୍ତର୍ଭୁକ୍ତ କରି ସହାୟତା କରିବାକୁ ଆବେଦନ କରିଥିଲେ । ଏହା ପରେ ସେ ମୋହନଙ୍କ ପାଇଁ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ପେନ୍ସନ୍ ପ୍ରାପ୍ତି ପାଇଁ ଆବେଦନ ମଧ୍ୟ କରିଥିଲେ ଓ ସବୁବେଳେ ବ୍ୟାଙ୍କ କୁ ଯିବାରେ ଅସୁବିଧା ହେବ ବୋଲି ତାଙ୍କୁ ଭତ୍ତା ଟଙ୍କା ନଗଦ ଦିଆଯାଉ ବୋଲି ମଧ୍ୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ପ୍ରଥମ ଥର ପାଇଁ ଭତ୍ତା ଟଙ୍କା ନିଜ ହାତରେ ପାଇ ମୋହନ ଭାରି ଖୁସି ହୋଇଥିଲେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଓ ଅଧିକାର ମିତ୍ରଙ୍କୁ ତାଙ୍କର ସମୟୋଚିତ ହସ୍ତକ୍ଷେପ ପାଇଁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
