ମାଇଁ ଭାରତ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ
ବନ୍ତ,୨୯/୮: ମାର୍କଣ୍ଡ ଧଡ଼ା – ( ନିପ୍ର) ବନ୍ତ ବ୍ଲକ୍ ସ୍ଥିତ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ମାଇଁ ଭାରତ ଓ ଜଗନ୍ନାଥ ୟୁଥ୍ କ୍ଲବ୍ର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ତଥା ଶାରୀରିକ ଓ ମାନସିକ ବିକାଶରେ ଖେଳକୁଦର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡି.ଆର୍.ଏନ୍. ଅଧ୍ୟାପକ ସୁଶାନ୍ତ କୁମାର ବେହେରା, ରାଜନୀତି ବିଜ୍ଞାନ ଅଧ୍ୟାପକ ମନୋଜ କୁମାର ରାଉତ, ଇଂରାଜୀ ଅଧ୍ୟାପିକା ଦେବଯାନୀ ପଣ୍ଡା ଏବଂ ଓଡ଼ିଆ ଅଧ୍ୟାପକ ଚନ୍ଦ୍ରକାନ୍ତ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ‘ମାଇଁ ଭାରତ’ ପକ୍ଷରୁ ପ୍ରକାଶ କୁମାର ମଲ୍ଲିକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କୌଶଳ ତଥା ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ୧୦୦ ମିଟର ଦୌଡ଼ ଏବଂ ମାଇଁ ଭାରତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
