*ବଡ଼ବନ୍ଧରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ*
୨୦୪୭ ମସିହା ସୁଦ୍ଧା ଭାରତର ଶକ୍ତି/ଉର୍ଜା—ସମ୍ଭାବନା ଓ ଆହ୍ୱାନ’ ଉପରେ ଆଲୋଚନା
ହରଭଙ୍ଗା -୨୯/୦୮ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଡ଼ବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତନ, ଗବେଷଣାତ୍ମକ ମାନସିକତା ଓ ନୂତନ ଚିନ୍ତାଧାରାର ବିକାଶ ସହିତ ଦେଶର ଭବିଷ୍ୟତ ଶକ୍ତି ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବରୁଣ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ, ବୌଦ୍ଧ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ, ଲୁଣିବାହାଲ କ୍ଲଷ୍ଟରର ସି. ଆର.ସି. ସି. ଶୁଭେନ୍ଦୁ କୁମାର ମାହାର ଯୋଗଦେଇଥିଲେ l ଜିଲ୍ଲାର ତେଲିବନ୍ଧ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ନାଏକ ଓ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିବାନନ୍ଦ ପାଲ ବିଚାରକ ଭାବେ ମଞ୍ଚାସିନ ଥିଲେ l
ଉକ୍ତ ଆଲୋଚନା ରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରାୟ ୪୨ ଜଣ ଛାତ୍ରଛାତ୍ରୀମାନେ ନିଜ ନିଜ ବିଜ୍ଞାନ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ଦୈନନ୍ଦିନ ଜୀବନରେ ବିଜ୍ଞାନର ପ୍ରୟୋଗ, ପରିବେଶ ସୁରକ୍ଷା, ଜଳ ଓ ଶକ୍ତି ସଂରକ୍ଷଣ ଭଳି ବିଷୟକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।
ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଥିଲା ‘୨୦୪୭ ସୁଦ୍ଧା ଭାରତର ଶକ୍ତି/ଉର୍ଜା—ସମ୍ଭାବନା ଓ ଆହ୍ୱାନ’। ଏହି ପ୍ରସଙ୍ଗରେ ବକ୍ତାମାନେ କହିଥିଲେ ଯେ, ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ରଖିଥିବା ବେଳେ ଶକ୍ତି କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିଳ୍ପ, କୃଷି, ପରିବହନ, ଶିକ୍ଷା, ଚିକିତ୍ସା ଓ ଡିଜିଟାଲ କ୍ଷେତ୍ରର ବିକାଶ ପାଇଁ ନିରନ୍ତର ଓ ସୁଲଭ ଉର୍ଜା ଆବଶ୍ୟକ।
ସୌରଶକ୍ତି, ପବନଶକ୍ତି, ଜଳବିଦ୍ୟୁତ, ପରମାଣୁ ଶକ୍ତି ଓ ଅନ୍ୟାନ୍ୟ ସ୍ୱଚ୍ଛ ଉର୍ଜା ଉତ୍ସ ଭାରତ ପାଇଁ ବଡ଼ ସମ୍ଭାବନା ସୃଷ୍ଟି କରୁଛି। ଭବିଷ୍ୟତରେ ବ୍ୟାଟେରୀ ଷ୍ଟୋରେଜ୍, ସ୍ମାର୍ଟ ଗ୍ରିଡ୍, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଶକ୍ତି ସଞ୍ଚୟକାରୀ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
ତେବେ ଉର୍ଜା ଚାହିଦାର ବୃଦ୍ଧି, ପରିବେଶ ସୁରକ୍ଷା, ଶକ୍ତିର ସୁଲଭ ମୂଲ୍ୟ, ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଓ ନୂତନ ପ୍ରଯୁକ୍ତିର ବିକାଶ ଭଳି ଚ୍ୟାଲେଞ୍ଜ ମଧ୍ୟ ରହିଛି। ଏହି ଆହ୍ୱାନଗୁଡ଼ିକୁ ସାମ୍ନା କରିବାରେ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା ଏବଂ ବୈଜ୍ଞାନିକ ମନୋଭାବ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ଦେଇଥିଲେ।
ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ବିଜ୍ଞାନକୁ କେବଳ ପାଠ୍ୟକ୍ରମ ମଧ୍ୟରେ ସୀମିତ ନରଖି ସମାଜ ଓ ଦେଶର ସମସ୍ୟାର ସମାଧାନ ପାଇଁ ଏହାକୁ ବ୍ୟବହାର କରିବାକୁ ଆହ୍ୱାନ ପାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ରାଜଶ୍ରୀ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବିଜ୍ଞାନ ଶିକ୍ଷକ ମାଣିକାନ୍ତ ଭୋଇ ଉପସ୍ଥିତ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଅଭିଭାବକ ଓ ଗାଇଡ଼ଶିକ୍ଷକ ଉପସ୍ଥିତ ଥିଲେ
