ଟ୍ରେନ୍ ରେ କଟି ମହିଳା ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ଟ୍ରେନରେ କଟି ଜଣେ ମହିଳା ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସୋର ଥାନା ବ୍ରାହ୍ମଣସବିରା ଗ୍ରାମର ଚିତ୍ତରଞ୍ଜନ ଦଳେଇଙ୍କ ସ୍ତ୍ରୀ ଗୀତାଞ୍ଜଳି ଦଳେଇ(୪୨)। ଦିର୍ଘଦିନ ଧରି ଗୀତାଞ୍ଜଳିଙ୍କ ଶାଶୁ ଘରେ ପାରିବାରିକ କଳହ ଲାଗିରହୁଥିଲା। ଆଜି ସକାଳେ ଘର ନିକଟରେ ଥିବା ଟ୍ରେନ ଲାଇନକୁ ଗୀତାଞ୍ଜଳି ଯାଇଥିବା ବେଳେ ସେଠାରେ ହାୱଡା ଜସୱନ୍ତପୁର ଟ୍ରେନରେ କଟି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସୋର ଆରପିଏଫ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ସୋର ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଗୀତାଞ୍ଜଳିଙ୍କ ବାପା ଘର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
