*ସୁନାବେଡ଼ା ମେଗା ଡ୍ରାଇଭ୍: ପହରିଆବସାରେ ପଦ୍ମଶ୍ରୀ ବିଜେତା ମହେନ୍ଦ୍ର ମିଶ୍ର ଓ ଅନ୍ୟ ବୁଦ୍ଧିଜୀବୀଙ୍କୁ ନେଇ ଆଇନ ସଚେତନତା*
ନୂଆପଡା(ମିଖାଏଲ ନନ୍ଦ)
ତା-୧୯/୧୦
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷରୁ ଚାଲୁଥିବା ମେଗା ଡ୍ରାଇଭ୍ ଅଧୀନରେ ସୁନାବେଡ଼ା ଗ୍ରାମ ପଞ୍ଚାୟତର ଢେକୁନପାନି ଗ୍ରାମର ପହରିଆବସା ରେ ବସବାସ କରୁଥିବା ପହରିଆ ଲୋକଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ପଦ୍ମଶ୍ରୀ ବିଜେତା ତଥା ପ୍ରଖ୍ୟାତ ଲୋକ କଳା ସାହିତ୍ୟିକ ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଶିକ୍ଷାବିତ୍, ଖଡ଼ିଆଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ଲେଖକ ଶ୍ରୀ ଫନିନ୍ଦମ ସିଂହଦେଓ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ଅଜିତ୍ ପଣ୍ଡା, ଚାକୋଟିଆ ଭୁଂଜିଆ ଉନ୍ନୟନ ସଂସ୍ଥା (CBDA) ର ସ୍ୱତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ, କୋମନାର ଆଇନଜୀବୀ ସୋହେଲ୍ ଖାନ, ଆଦର୍ଶ କନ୍ୟା ଗୁରୁକୂଳର ପ୍ରାଚାର୍ଯ୍ୟା ଲତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସ୍ଥାନୀୟ ମହିଳାମାନେ ପହରିଆ ଭାଷାରେ ଗୀତ ଗାଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।
କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣ ଅଧିନିୟମ, ୧୯୮୭, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ (PLA) ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA)ର ନିଃଶୁଳ୍କ ଆଇନ ସହାୟତା ହେଲ୍ପଲାଇନ୍ ନମ୍ବର ୧୫୧୦୦ ସମ୍ପର୍କରେ ପହରିଆ ସମ୍ପ୍ରଦାୟର ଲୋକମାନଙ୍କୁ ସଚେତନ କରାଯାଇଥିଲା । ଉପସ୍ଥିତ ଅତିଥି ମାନେ ନିଜ ନିଜ ପୁସ୍ତକ ଓ ଲେଖାମାନଙ୍କରେ ପହରିଆ ସମ୍ପ୍ରଦାୟର ଜୀବନଚର୍ଯ୍ୟା ର ସ୍ୱତନ୍ତ୍ର ବିଶେଷତ୍ୱଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଏହା ସହିତ ପହରିଆ ସମ୍ପ୍ରଦାୟର ଭାଷା, ସଂସ୍କୃତି, ପରମ୍ପରା ଓ ସାମାଜିକ ପରିଚୟ ରକ୍ଷା ସମ୍ପର୍କରେ ମଧ୍ୟଆଲୋଚନା କରାଯାଇଥିଲା । ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ପହରିଆ ସମ୍ପ୍ରଦାୟର ଲୋକଙ୍କ ନିକଟରେ ନିଃଶୁଳ୍କ ଆଇନ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କୁ ନିଜର ଆଇନଗତ ଅଧିକାର ଓ ନ୍ୟାୟ ପ୍ରାପ୍ତିର ବିଭିନ୍ନ ଉପାୟ ସମ୍ପର୍କରେ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ଶେଷ ହେବା ପରେ ଢେକୁନପାନିସ୍ଥିତ ସିଆରପିଏଫ୍ (CRPF) କ୍ୟାମ୍ପଠାରେ ରହୁଥିବା ଜବାନମାନଙ୍କ ପାଇଁ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମଧ୍ୟ ମାଗଣା ଆଇନ ସହାୟତା, ନାଲ୍ସାର ବୀର ପରିବାର ସହାୟତା ଯୋଜନା, ନାଗରିକଙ୍କ ଅଧିକାର ଏବଂ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ସଚେତନତା ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରକାଶ ଥାଉ ଯେ, ପୂର୍ବରୁ ଅନେକ ଥର ଦାବୀ କରାଯାଇଥିବା ସତ୍ତ୍ୱେ ପହରିଆମାନଙ୍କୁ ଏ ପର୍ଯ୍ୟନ୍ତ ଆଦିବାସୀ ମାନତା ମାନ୍ୟତା ମିଳିନାହିଁ । ତେଣୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ଏହି ପଦକ୍ଷେପ ପହରିଆ ସମ୍ପ୍ରଦାୟର ଲୋକଙ୍କ ନିକଟରେ ନ୍ୟାୟ ଓ ଆଇନ ସେବା ପହଞ୍ଚାଇବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ଅତିଥିମାନେ ମତପୋଷଣ କରିଥିଲେ ।
