ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର, ତିନି ସହଯୋଗୀଙ୍କୁ ଗିରଫ କଲା ପୋଲିସ।
ରେଢ଼ାଖୋଲ ୧୮.୦୩(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ଦିନ ଭୋର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ କୁଖ୍ୟାତ ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ ବୁଧବାର ଦିନ ଭୋର ସକାଳୁ ପ୍ରାୟ ୫ଟା ୪୫ ମିନିଟରେ ରେଢ଼ାଖୋଲ ଥାନା ଅନ୍ତର୍ଗତ ଡୁମଛାଲି ଜଙ୍ଗଲ ଅଞ୍ଚଳରେ ଧନେଶ୍ଵର ଝାଙ୍କର(ଟିମା) ଓ ତାଙ୍କର ୩ ଜଣ ସହଯୋଗୀ ଲୁଚି ରହିଥିବା ନେଇ ପୋଲିସ ଖବର ପାଇଥିଲା। ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ଙ୍କ ନିର୍ଦ୍ଧେଶ କ୍ରମେ ନାକଟିଦେଉଳ ପୋଲିସ ଟିମ ସେଠାରେ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିବା ବେଳେ ଅଭିଯୁକ୍ତ ଟିମା ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହାଦେଖି ଅଭିଯୁକ୍ତମାନେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ପ୍ରୟାସ କରିଥିଲେ। ମାତ୍ର ପୋଲିସ ପକ୍ଷରୁ ଆତ୍ମରକ୍ଷା ପାଇଁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସର ନିୟନ୍ତ୍ରିତ ଗୁଳି ଚାଳନାରେ ଟିମାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଫଳରେ ଫେରାର ହେବାରେ ବିଫଳ ହେବାରୁ ଘଟଣା ସ୍ଥଳରୁ ପୋଲିସ ଟିମାଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି। ଗୁଳିବିଦ୍ଧ ହୋଇ ଗୁରୁତର ଟିମାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମସାର ରେ ଭର୍ତ୍ତି କରାଯାଇଛି। ଅପର ପକ୍ଷରେ ଅପରାଧୀମାନଙ୍କ ନିକଟରୁ ଏକ ପିସ୍ତଲ, ଜୀବନ୍ତ ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସମେତ ବିଦ୍ୟୁତ ତାର ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏଥିରେ ପୂର୍ବରୁ ଅପରାଧୀ ଟିମା ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଏବଂ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ ରୁ ଉର୍ଦ୍ଧ ସଙ୍ଗୀନ ମାମଲା ରହିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
