ବ୍ରାଉନସୁଗାର ଜବତ ଘଟଣାରେ ୬ଜଣକୁ ଗିରଫ କରିଛି ବେତନଟୀ ପୋଲିସ
ବେତନଟୀ ୧୭/୩ : ବେତନଟୀ ପୋଲିସ ୧୮ନମ୍ବର ଜାତୀୟ ରାଜପଥ ଛୁରୁଣି ଛକ ନିକଟରୁ ସୋମବାର ସନ୍ଧ୍ୟା ପ୍ରାୟ ୬. ୩୦ ସମୟରେ ବ୍ରାଉନ ସୁଗାର ବିକ୍ରି ହେଉଥିବାର ଖବର ପାଇ ବେତନଟୀ ଥାନାର ଆଇ ଆଇ ସି କ୍ରିଷ୍ଣା ପିଙ୍ଗୁଆଙ୍କ ନିର୍ଦ୍ଦେଶରେ ଏକ ପୋଲିସ ଟିମ ଛୁରୁଣି ଛକକୁ ଯାଇଥିଲେ। ଛକରେ ଦୁଇଟି ବାଇକରେ ୬ ଜଣ ଅଭିଯୁକ୍ତଙ୍କୁ ବେତନଟୀ ଥାନାକୁ ଉଠାଇଆଣିଥିଲେ। ତଦନ୍ତ ପରେ ଏମାନଙ୍କ ନିକଟରୁ ବ୍ରାଉନସୁଗାର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ବେତନଟୀ ଥାନା ଏସ ଆଇ ମଦନ ମୋହନ ପରିଡାଙ୍କ ଅଭିଯୋଗ କ୍ରମେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ଏଥିନେଇ ବେତନଟୀ ପୋଲିସ କେସ ନମ୍ବର ୨୦୧/୨୦୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ମଙ୍ଗଳବାର ଦିନ ବାରିପଦା ସେଶନ କୋର୍ଟରେ ହଜାର କରାଯାଇଛି। ସେମାନଙ୍କ ବେଲ ନାମଞ୍ଜୁର ହେବାରୁ ସେହି ୬ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବାର ଜଣାପଡିଛି। ଗିରଫ ୬ଜଣ ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଅଧିନ ସନ୍ତରା ଗ୍ରାମର ଏସ କେ ରଫିକ (୨୭), ଜୁଗୁପୁରା ଅଞ୍ଚଳର ଆମଜାଦ ଖାନ (୫୦) , ବାରିପଦା ଟାଉନ ଥାନା ଅଧିନ ଚିପଟସ୍ତିଆ ଗାଁର ଦେବଦତ୍ତ ନାଏକ (୩୯), ରାଜେନ୍ଦ୍ର ବେହେରା (୩୨), ଶୂନଗଡିଆ ରାଜୁ ମୁଖି (୨୯) , ଉଦଳା ଥାନା ଜଡିଦା ଗ୍ରାମର ମନୋଜ କୁମାର ବାରିକ (୨୯)। ସେହି ୬ଜଣକୁ ଗିରଫ ପରେ ପୋଲିସ ସେମାନଙ୍କ ନିକଟରୁ ୬୭. ୬୨ ଗ୍ରାମର ବ୍ରାଉନସୁଗାର, ୨ଟି ବାଇକ ଯାହାର ନମ୍ବର ଓ ଡି ୧୧- ୮୦୯୨, ଓ ଡି ୧୧ ଜେଡ ୨୧୬୮, ସହିତ ୬ଟି ମୋବାଇଲ ଫୋନ, ନଗଦ ୫୧ହଜାର ୧୦୦ଟଙ୍କା ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଯେଉଁ ସ୍ଥାନରେ ଗିରଫ କରାଯାଇଛି ସେହି ସ୍ଥାନରୁ ଅଳ୍ପ ଦୂରରେ ଆଉ ଏକ ନିର୍ଜନ ସ୍ଥାନରୁ ୪ଟି ବାଇକ ପାଇଥିବା ବେଳେ ଏହି ବାଇକ ଅଭିଯୁକ୍ତମାନଙ୍କର ସମ୍ପୃକ୍ତି ଅଛି ବୋଲି ବେତନଟୀ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଥିବାର ଜଣାପଡିଛି। ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୭ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି ସୂଚନା ମିଳିଛି।
