‘ଘରେ ଘରେ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ
ସାମିଲ ହେବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ
ଛତ୍ରପୁର, ତା. ୧୦/୦୮/୨୦୨୬: ପବିତ୍ର ସ୍ୱାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ସମଗ୍ର ଦେଶରେ ‘ଘରେ ଘରେ ତ୍ରିରଙ୍ଗା–୨୦୨୬’ କାର୍ଯ୍ୟକ୍ରମ ପାଳନ କରାଯାଉଛି।
ଏହି ଜାତୀୟ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାରେ ଜନଭାଗିଦାରୀ ମାଧ୍ୟମରେ ସଫଳ କରିବା ପାଇଁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି। ‘ଘରେ ଘରେ ତ୍ରିରଙ୍ଗା’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଗର୍ବ, ଗୌରବ ଓ ଦେଶପ୍ରେମର ପ୍ରତୀକ ବୋଲି ଜିଲ୍ଲାପାଳ କହିଛନ୍ତି।
ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ଅଗଷ୍ଟ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଗଷ୍ଟ ୧୦ ତାରିଖରେ ସୋସିଆଲ୍ ମିଡିଆ ଅଭିଯାନର ଶୁଭାରମ୍ଭ । ଅଗଷ୍ଟ ୧୧ରେ ତ୍ରିରଙ୍ଗା ରଙ୍ଗୋଲି ପ୍ରତିଯୋଗିତା, ସ୍ୱଚ୍ଛତା ଅଭିଯାନ ଏବଂ ଛତ୍ରପୁରସ୍ଥିତ ଆଞ୍ଚଳିକ କଳା ଗ୍ୟାଲେରୀରେ ମ୍ୟୁରାଲ୍ ଓ ଚିତ୍ରକଳା ପ୍ରତିଯୋଗିତା । ଅଗଷ୍ଟ ୧୨ରେ ଛତ୍ରପୁରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିପୀଠରେ ପ୍ରଦର୍ଶନୀ, ଏବଂ ପ୍ରାୟ ୫,୦୦୦ ଅଂଶଗ୍ରହଣକାରୀଙ୍କୁ ନେଇ ବ୍ରହ୍ମପୁର ଷ୍ଟାଡିୟମ୍ରୁ ଖଲ୍ଲିକୋଟ କଲେଜ ପଡ଼ିଆ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଆୟୋଜିତ ହେବ। ଅଗଷ୍ଟ ୧୩ରେ ବିଜୟଦ୍ୱାରରୁ ଗୋପାଳପୁର ବେଳାଭୂମି ପର୍ଯ୍ୟନ୍ତ ମାରାଥନ୍ ଏବଂ ଛତ୍ରପୁର ସଂସ୍କୃତି ଭବନରେ ଦେଶପ୍ରେମଭିତ୍ତିକ ନାଟକ ପରିବେଷଣ କରାଯିବ। ଅଗଷ୍ଟ ୧୪ରେ ଶୋଭାଯାତ୍ରା, ବିଭିନ୍ନ ସ୍କ୍ରିନ୍ରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ଏବଂ ବାଲୁକା କଳା ପ୍ରଦର୍ଶନ କରାଯିବ। ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ ଓ ସ୍ୱାଧୀନତା ଦିବସ ପାଳନ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ
ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ବିଡିଓ ଓ ତହସିଲଦାରଙ୍କ ନେତୃତ୍ୱରେ ରାଲି ଆୟୋଜନ କରାଯିବ। ‘ବନ୍ଦେ ମାତରମ୍’ର ସମବେତ ଗାୟନ କରାଯିବ। ଏଥିସହ ‘ସେଲ୍ଫି ୱିଥ୍ ତ୍ରିରଙ୍ଗା’ ମାଧ୍ୟମରେ ଜାତୀୟ ପତାକା ସହ ସେଲ୍ଫି ନେଇ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବାକୁ ମଧ୍ୟ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାତୀୟ ପତାକାର ବିକାଶ ଯାତ୍ରା ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ‘ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ପ୍ରଦର୍ଶନୀ ଆୟୋଜନ କରାଯିବ। ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ MyGov ପୋର୍ଟାଲରେ ଆୟୋଜିତ ଅନଲାଇନ୍ କୁଇଜ୍ରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ମଧ୍ୟ ସୁନିଶ୍ଚିତ କରାଯିବ।
ଛତ୍ରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
