ମଣ୍ଡି ରେ ଧାନ ନଦେଇପାରି ଚାଷୀ ହତାଶ, ଉତ୍କଳ ଦିବସ ପ୍ରସ୍ତୁତି ବୈଠକରେ ଚାଷୀଙ୍କ ଅଭିଯୋଗ
କାମାକ୍ଷାନଗର, କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାଦୁଆ ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀ ମଣ୍ଡି ରେ ଧାନ ନଦେଇପାରି ହତାଶ ହୋଇ ପଡ଼ିଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଉତ୍କଳ ଦିବସ ପ୍ରସ୍ତୁତି ବୈଠକରେ ଅଭିଯୋଗ କରିଛନ୍ତି l କାଦୁଆ ସେବା ସମବାୟ ସମିତି ରେ ଚଳିତ ବର୍ଷ ପ୍ରାୟ ୮ ସହ ଚାଷୀ ପଞ୍ଜିକୃତ ହୋଇଛନ୍ତି l ହେଲେ ମାର୍ଚ୍ଚ ମାସ ଶେଷ ଆଡକୁ ଗତି କରୁଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୩ ସହ ଚାଷୀ ଧାନ ବିକ୍ରି କରି ପାରିଛନ୍ତି l ମୁଖ୍ୟତଃ ସେବା ସମବାୟ ସମିତିରେ ହେଉଥିବା ମଣ୍ଡି ଦାୟିତ୍ୱରେ କେବଳ ପଞ୍ଚସଖା ରାଇସ ମିଲ କୁ ଧାନ କିଣିବାକୁ ଧାର୍ଯ୍ୟ କରାଯାଇଛି l ପ୍ରତ୍ୟେକ ମଣ୍ଡି ରେ ପନ୍ଦର ସହ ମେଟ୍ରିକ ଟନ ଧାନ କିଣିବା ପରିବର୍ତ୍ତେ ୩ ରୁ ୪ ସହ ମେଟ୍ରିକ ଟନ ଧାନ କିଣିବା ପରେ ଆଉ ମଣ୍ଡିକୁ ମିଲର ଯିବାର ନାମ ଧରୁନି l ଜାନୁଆରୀ ମାସରେ ଆସିଥିବା ଟୋକନ ମାର୍ଚ୍ଚମାସ ଅଧାପର୍ଯ୍ୟନ୍ତ ସରି ନଥିବା ବେଳେ ଫେବୃଆରୀ ମାସରେ ଆସିଥିବା ଟୋକନ ଏବେ ରବଦ ହେବାକୁ ବସିଲାଣି l ଏସବୁ ଦୃଷ୍ଟିରୁ ସଂପୃକ୍ତ ଚାଷୀ ଢେଙ୍କାନାଳ ଯାଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ଥରେ ମାତ୍ର ଧାନ ଉଠାଇ ମିଲର ଚୁପ ହୋଇଯାଇଛି l ହାରସ ହେବାପରେ ବୁଧବାର ସଂପୃକ୍ତ ଚାଷୀ ପୂର୍ବାହ୍ନ ଏଗାରଟାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଆସି ଉପଜିଲ୍ଲାପାଳ ଙ୍କୁ ଅପେକ୍ଷା କରିଥିଲେ l ଅପରାହ୍ନ ସାଢେ ୩ ଟାରେ ଉତ୍କଳଦିବସ ପ୍ରସ୍ତୁତି ବୈଠକ ଆରମ୍ଭ ହେବା ସମୟରେ ଚାଷୀମାନେ ବୈଠକ ମଧ୍ୟ କୁ ଆସି ତାଙ୍କର ଅଭିଯୋଗ କରିଥିଲେ l ତେବେ ଚାଷୀଙ୍କର ଧାନ କିପରି ସୁରୁଖୁରୁରେ ଯାଇପାରିବ ସେଥିପ୍ରତି ପ୍ରଶାସନିକ ସ୍ତରରେ ଗୁରୁତ୍ୱ ଦେଉଥିବାର ଜଣାଯାଇଛି ଲ
(ଧର୍ମାନନ୍ଦ ସେଠି ଙ୍କ ଖବର )
