*ନୂଆପଡ଼ାରେ ଲଘୁ ଖଣିଜ ଦ୍ରବ୍ୟ ଟାସ୍କ ଫୋର୍ସ କମିଟି ବୈଠକ: ଅବୈଧ ଖଣିଜ ଖନନ ରୋକିବା ନେଇ କଠୋର ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ l*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୦୩
ନୂଆପଡ଼ା ଜିଲ୍ଲାରେ ଲଘୁ ଖଣିଜର ସୁପରିଚାଳନା ଓ ଅବୈଧ ଖନନ ନିୟନ୍ତ୍ରଣ ପାଇଁ ଆଜି ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ (DLTF) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ବାଲି ଓ ପଥର ଖଣିଜ ଉତ୍ସ, ରାଜସ୍ୱ ସଂଗ୍ରହ ଓ ଅବୈଧ ଖଣିଜ ଚୋରାଚାଲାଣ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।ଉପସ୍ଥାପିତ ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାରୁ ୨.୯୬ କୋଟି ଟଙ୍କା ରାଜସ୍ବ ସଂଗ୍ରହ ହୋଇଥିବାବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ (୨୮ ଫେବୃଆରୀ ପର୍ଯ୍ୟନ୍ତ) ୧.୮୬ କୋଟି ଟଙ୍କା ସଂଗ୍ରହ ହୋଇଛି। ଏହାସହ ଅବୈଧ ଖଣିଜ ପରିବହନ ଓ ଚୋରାଚାଲାଣ ବିରୋଧରେ ଚାଲିଥିବା ଏନଫୋର୍ସମେଣ୍ଟ କାର୍ଯ୍ୟରେ ଚାଲୁ ଆର୍ଥିକ ବର୍ଷରେ ୨୩୭ଟି ଚଢ଼ଉ ହୋଇଥିବା ସହ ୪୨ଟି ଯାନବାହନ ଜବତ ଓ ୧୬ଟି ମାମଲା ରଜୁ ହୋଇଛି। ଏହି ଅବଧିରେ ୮୫.୬୮ ଲକ୍ଷ ଟଙ୍କା ଅର୍ଥଦଣ୍ଡ ଆଦାୟ କରାଯାଇଛି।ଜିଲ୍ଲାପାଳ ଅବୈଧ ଖଣିଜ ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରତିରୋଧାତ୍ମକ ଓ ଦଣ୍ଡାତ୍ମକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ।
